ପରକୀୟା ପ୍ରୀତିରୁ ହତ୍ୟା: ଇଣ୍ଟେରିୟର ମିସ୍ତ୍ରୀକୁ ମାରିବା ପାଇଁ ଦିଆଯାଇଥିଲା ୨୦ ହଜାର ଟଙ୍କା

କିଛି ଦିନ ପୂର୍ବରୁ କଟକ ମହାନଦୀ ପଠାରୁ ଉଦ୍ଧାର ହୋଇଥିଲା ଜଣେ ଇଣ୍ଟେରିୟର ମିସ୍ତ୍ରୀଙ୍କ ମୃତଦେହ । ମୃତକଙ୍କ ନାଁ ଆଜାଦ ଯାଦବ । ତାଙ୍କ ଘର ବିହାରରେ । ଟଙ୍କା ଦେବାକୁ ଡାକି କେହି ତାଙ୍କୁ ମାରି ହତ୍ୟା କରିଥିଲା । ସମ୍ପର୍କୀୟଙ୍କ ଏତଲାରେ ପୁଲିସ ଖୋଳତାଡ କରି ହତ୍ୟାକାରୀଙ୍କୁ ଧରିଛି । ସେମାନେ ହେଲେ ଚାଉଳିଆଗଞ୍ଜରେ ରହୁଥିବା ବିହାର ଭାଗଲପୁରର ମୁନା ଓରଫ ମୁନିଲାଲ ଶର୍ମା ଓ କୈଳାସ ଚୌଧୁରୀ। ପରକୀୟା ପ୍ରୀତି ଯୋଗୁ ମୁନା ଆଜାଦଙ୍କୁ ମହାନଦୀ ପଠାକୁ ଡାକି ହତ୍ୟା କରିଥିବା କଟକ ଡିସିପି ପ୍ରତୀକ ସିଂ କହିଛନ୍ତି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପଙ୍କଜ ଶର୍ମା ଫେରାର ଅଛି।
ସୂଚନା ଅନୁଯାୟୀ, ଆଜାଦ ଓ ମୁନାଙ୍କ ଘର ବିହାରରେ ହୋଇଥିବାବେଳେ ପରସ୍ପର ମଧ୍ୟରେ ସମ୍ପର୍କ ରହିଥିଲା। କିଛିବର୍ଷ ହେବ ସେମାନେ ବିହାରରୁ ଭୁବନେଶ୍ୱର ଆସି ମାର୍ବଲ ଓ ସିଲିଂ ମିସ୍ତ୍ରି ଭାବେ କାମ କରୁଥିଲେ। ପଙ୍କଜ ହେଉଛନ୍ତି ମୁନାଙ୍କ ସମ୍ପର୍କୀୟ ପୁତୁରା। ସେମାନଙ୍କ ମଧ୍ୟରୁ ମୁନା, ପଙ୍କଜଙ୍କ ପରିବାର କଟକରେ ରହୁଥିଲାବେଳେ ଆଜାଦ ଭୁବନେଶ୍ୱର ଶହୀଦ ନଗରରେ ପରିବାର ସହ ଭଡ଼ାଘରେ ରହୁଥିଲେ। ପରେ ଆଜାଦ ଓ ପଙ୍କଜ ଗୋଟିଏ ସ୍ଥାନରେ କାମ କରିଥିଲେ। ଫଳରେ ସେମାନଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା। ସେଥିପାଇଁ ପଙ୍କଜ ରହୁଥିବା ଘରକୁ ଆଜାଦ ଯାଉଥିଲେ। ଇତିମଧ୍ୟରେ ପଙ୍କଜଙ୍କ ସ୍ତ୍ରୀ ଓ ଆଜାଦଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହା ଜଣାପଡିବା ପରେ ପଙ୍କଜ ତାଙ୍କ ସ୍ତ୍ରୀଙ୍କୁ ଅନେକ ସମୟରେ ମାଡ ମାରୁଥିଲେ। ଗତବର୍ଷ ପଙ୍କଜଙ୍କ ଅଜାଣତରେ ତାଙ୍କ ସ୍ତ୍ରୀଙ୍କୁ ସାଥୀରେ ଧରି ନିଜ ଗାଁ ବିହାର ନେଇଯାଇଥିଲେ ଆଜାଦ। ଏହାକୁ ନେଇ ବିହାରରେ ଉତ୍ତେଜନା ପ୍ରକାଶ ପାଇଥିଲା।
ପରେ ଗ୍ରାମବାସୀ ଉଭୟଙ୍କୁ ବୁଝାଶୁଝା କରି କିଛିଦିନ ପରେ ପଠାଇ ଦେଇଥିଲେ। ଏହାପରେ ପଙ୍କଜ ତାଙ୍କ ସ୍ତ୍ରୀଙ୍କୁ ଗ୍ରହଣ କରିଥିଲେ। ହେଲେ ଏହି ଘଟଣା ପରଠାରୁ ପଙ୍କଜ ପ୍ରତିଶୋଧ ପରାୟଣ ହୋଇ ଆଜାଦଙ୍କୁ ଜୀବନରୁ ମାରି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ଭିତରେ ଆଜାଦ ମୁନା ସହିତ କାମ କରୁଥିବା ପଙ୍କଜ ଜାଣିବାକୁ ପାଇଥିଲେ। ତେଣୁ ସେ ତାଙ୍କୁ ହାତ କରି ଆଜାଦଙ୍କୁ ମାରିବା ପାଇଁ ଯୋଜନା କରିଥିଲେ। ଏଥିପାଇଁ ପଙ୍କଜ ସୁପାରି ବାବଦରେ ୨୦ ହଜାର ଟଙ୍କା ମୁନାଙ୍କୁ ଦେଇଥିଲେ।
ମୁନା ଗତମାସ ୨୫ରେ ବକେୟା ଟଙ୍କା ଦେବା ଆଳରେ ଆଜାଦଙ୍କୁ କଟକ ଡାକିଥିଲେ। ସେ କଟକରେ ପହଞ୍ଚିବା ପରେ ଉଭୟ ଭୁଆସୁଣି ନଦୀ ପଠାକୁ ଯାଇଥିଲେ। ସେଠାରେ ମଦ ପିଇବା ପରେ ମୁନା ହାତରେ ଧରିଥିବା ବୋତଲରେ ଆଜାଦ୍ଙ୍କ ମୁଣ୍ଡକୁ ପିଟିି ଦେଇଥିଲେ। ଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ମୁନା ଫୋନ କରି ତାଙ୍କ ସାଥୀ କୈଳାସଙ୍କୁ ଡାକିଥିଲେ। କୈଳାସ ବାଇକ୍ ଧରି ପହଞ୍ଚିବା ପରେ ଉଭୟ ସେଠାରୁ ଫେରାର ହୋଇଯାଇଥିଲେ। ବୁଧବାର ସକାଳେ ମୁନା ଓ କୈଳାସ ବାଦାମବାଡ଼ିରୁ ବସ ଯୋଗେ କେଉଁଆଡେ ଯିବା ପାଇଁ ଆସିଥିବାବେଳେ ପୁଲିସ ସେମାନଙ୍କୁ ଗିରଫ କରିଛି ।
Powered by Froala Editor