ଯୁଦ୍ଧ ପ୍ରଭାବରେ ଛାନିଆ : ପେଟି ପେଟି ତେଲ ବୋହି ନେଉଛନ୍ତି ଲୋକେ
ୟୁକ୍ରେନ୍-ରୁଷ ଯୁଦ୍ଧର ପ୍ରଭାବ ଅନ୍ୟ ଦେଶମାନଙ୍କରେ ପଡିଲାଣି । ଯୁଦ୍ଧ ପ୍ରଭାବରେ ଖାଇବା ତେଲ ଦର ଲିଟର ପ୍ରତି ୨୦ରୁ ୩୦ ଟଙ୍କା ବଢ଼ିବ ବୋଲି ପ୍ରଚାର ହେବା ପରେ ଲୋକେ ଏବେ ଆବଶ୍ୟକତାଠାରୁ ଅଧିକ ତେଲ ଘରକୁ ବୋହି ନେଉଛନ୍ତି। ମୁଖ୍ୟତଃ ସନଫ୍ଲାୱାର ତେଲ ଦାମ୍ରେ ଅହେତୁକ ବୃଦ୍ଧି ଘଟୁଥିବା ବେଳେ ଆହୁରି ବଢ଼ିବ ବୋଲି ଗୁଜବରେ ଛାନିଆ ହେଲେଣି ଲୋକେ। ଦୋକାନ ଆଗରେ ଲମ୍ବା ଲାଇନ୍ ଲଗାଇଲେଣି । ଏପରିକି ବଡ଼ ବଡ଼ ମଲ୍ରେ ବି ଲାଗିଲାଣି ଅସମ୍ଭବ ଭିଡ଼ । କିଛି ଭାଇରାଲ୍ ମେସେଜ୍ କାରଣରୁ ଲୋକଙ୍କ ଭିତରେ ଏହି ଭୟ ସୃଷ୍ଟି ହୋଇଛି।
ଜଣେ ମହିଳାଙ୍କ କହିବାନୁସାରେ, ତାଙ୍କୁ ମେସେଜ୍ ମିଳିଥିଲା ଯେ ଯୁଦ୍ଧ କାରଣରୁ ବଜାରରେ ଖାଇବା ତେଲର ଅଭାବ ପଡ଼ିବ। ଏହି ମେସେଜ୍ ପାଇବା ପରେ ମହିଳା ଜଣକ ଆବଶ୍ୟକଠାରୁ ଅଧିକ ତେଲ କିଣି ନିଜ ପାଖରେ ରଖିଛନ୍ତି। ଗତ ମାସେ ମଧ୍ୟରେ ଭାରତରେ ଖାଇବା ତେଲ ଦାମ୍ ୨୦ % ପର୍ଯ୍ୟନ୍ତ ବଢ଼ିଛି। ଏହାଭିତରେ ଭାଇରାଲ ମେସେଜ ଲୋକଙ୍କ ମଧ୍ୟରେ ଥିବା ଭୟକୁ ଆହୁରି ବଢ଼ାଇ ଦେଇଛି।
ପ୍ରାୟ ଦୁଇ ତୃତୀୟାଶଂ ତେଲ ଭାରତ ବାହାରୁ ଆମଦାନୀ କରିଥାଏ । ସନଫ୍ଲାୱାର ତେଲ ପାଇଁ ଭାରତ ମୁଖ୍ୟତଃ ରୁଷ ଓ ୟୁକ୍ରେନ ଉପରେ ନିର୍ଭର କରିଥାଏ। ଭାରତର ସମୁଦାୟ ସନଫ୍ଲାୱାର ତେଲର ୯୦% ଏହି ୨ ଦେଶରୁ ହିଁ ଆମଦାନୀ ହୋଇଥାଏ । ହେଲେ ଯୁଦ୍ଧ ଯୋଗୁ ଏବେ ବିଗିଡ଼ିବାରେ ଲାଗିଛି ସ୍ଥିତି ।କେବଳ ଖାଇବା ତେଲ୍ ନୁହେଁ, ଡିଜେଲ୍ ବି ଲୋକେ ବହୁଳ ମାତ୍ରାରେ କିଣିବାରେ ଲାଗିଛନ୍ତି।
Powered by Froala Editor