ରୁଷ ମେଜର ଜେନେରାଲଙ୍କୁ ମାରିଦେଲା ୟୁକ୍ରେନ

ମସ୍କୋ : ରୁଷ ଏବେ ଯୁଦ୍ଧ ବିରତି ରଖିଥିବା ବେଳେ ଯୁଦ୍ଧକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ରୁଷର ୪୧ ଆର୍ମି ମୁଖ୍ୟ ମେଜର ଜେନେରାଲ ଜେନ ବିଟାଲୀ ଗେରାସିମୋଭ ଯୁଦ୍ଧରେ ମୃତୁ୍ୟବରଣ କରିଛନ୍ତି । ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଦୁଇ ରୁଷୀୟ ପ୍ରତିରକ୍ଷା ଅଧିକାରୀ ଏନେଇ କଥା ହେଉଥିଲେ ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି ।
ଅପରପକ୍ଷରେ ରୁଷ ସେନା ବାହିନୀ ସୂତ୍ରରୁ ଏହି ଖବର ସତ ବୋଲି ନୁ୍ୟଜ ଏଜେନ୍ସୀ ବେଲିଙ୍ଗକଟ ପକ୍ଷରୁ କୁହାଯାଇଛି । ମୃତ ମେଜର ଜେନେରାଲ ଗେରାସିମୋଭ ଜଣେ ଦକ୍ଷ ସେନା ଅଧିକାରୀ ଥିଲେ । ଦ୍ୱିତୀୟ ଚେଚେନ ଯୁଦ୍ଧରେ ସେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ସିରିଆରେ ସେନା କାର୍ଯ୍ୟାନୁଷ୍ଠାନ ହେଉବା କ୍ରିମିଆ ଯୁଦ୍ଧରେ ସେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ ।
ପୂର୍ବରୁ ଡେପୁଟି କମାଣ୍ଡର ମେଜର ଜେନେରାଲ ଆଣ୍ଡି୍ର ସୁଖୋଭେଟସ୍କି ମଧ୍ୟ ଯୁଦ୍ଧରେ ମୃତୁ୍ୟବରଣ କରି ସାରିଛନ୍ତି । ରୁଷ ପକ୍ଷରୁ ସେନାକୁ ଆବଶ୍ୟକୀୟ ସରଞ୍ଜାମ ଯୋଗାଣ ହୋଇପାରିନଥିବାରୁ ଯୁଦ୍ଧରେ ବାଧା ଉପୁଜିଥିବା ଜଣାପଡ଼ିଛି । ଅପରପକ୍ଷରେ ଯୁଦ୍ଧରେ ୟୁକ୍ରେନକୁ ରୁଷ ଜୟ କରିପାରିବ ନାହିଁ ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିୟର ଜେଲେନସ୍କି କହିଛନ୍ତି ।
Powered by Froala Editor