ଆଜି ଜେଲେନସ୍କିଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି । ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ସବୁଠି ହା ହା କାର ପରିସ୍ଥିତି । ଏହି ଯୁଦ୍ଧ ପରିସ୍ଥିତିକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି । ଚାଲିଥିବା ଏହି ଭୟଙ୍କର ଯୁଦ୍ଧ ୧୨ ଦିନରେ ପହଞ୍ଚିଥିଲେ ବି ଥମିବାର ନାଁ ଧରୁନି । ଦିନ ଯେତେ ବଢୁଛି, ଋଷିଆର ତାଣ୍ଡବ ୟୁକ୍ରେନ ଉପରେ ସେତେ ତୀବ୍ର ହେବାରେ ଲାଗିଛି । ୟୁକ୍ରେନ ଉପରେ ଋଷିଆ କରୁଛି ମିଶାଇଲ ବର୍ଷା । ଜଳୁଛି ୟୁକ୍ରେନ ସହର, ଥରି ଉଠୁଛି ମାଟି । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ଋଷ ହାତମୁଠାକୁ ନେଉଛି । ତେବେ ୟୁକ୍ରେନବାସୀଙ୍କ ଲଢୁଆ ମନୋଭାବ ଋଷ ସୈନ୍ୟଙ୍କୁ ଅଡୁଆରେ ପକାଇଛି ।
ଏଭଳି ସ୍ଥିତିରେ ଭାରତ ଜାତିସଂଘରେ ୟୁକ୍ରେନ ସପକ୍ଷରେ ଭୋଟ ଦେବାରୁ ନିବୃତ୍ତ ରହୁଛି । ନିକଟରେ ବାଇଡେନ୍ ମଧ୍ୟ ଭାରତକୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ତେବେ ଆଜି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ । ସାମ୍ପ୍ରତିକ ସ୍ଥିତି ନେଇ ଉଭୟ ନେତା ଆଲୋଚନା କରିବେ ବୋଲି ସୂଚନା ମିଳିଛି ।
ଅନ୍ୟପଟେ ୟୁକ୍ରେନରେ ଫସିଥିବା ପ୍ରବାସୀ ଭାରତୀୟ ମାନଙ୍କୁ ଅପରେଶନ-ଗଙ୍ଗା ଦ୍ୱାରା ସ୍ୱଦେଶ ଫେରାଇ ଅଣାଯାଉଛି । ଯୁଦ୍ଧର ଦଶମ ଦିନରେ ଋଷିଆ ୬ଘଣ୍ଟା ପାଇଁ ଅସ୍ତ୍ରବିରତି ଘୋଷଣା କରିଥିଲା । ଏହି ସମୟ ମଧ୍ୟରେ ପ୍ରବାସୀ ଛାତ୍ର, ବୟସ୍କ ନାଗରିକ, ଗର୍ଭବତୀ ମହିଳା ଓ ଛୋଟ ପିଲାମାନଙ୍କୁ ଉଦ୍ଧାର କରାଯାଇଥିଲା ।
Powered by Froala Editor