କିଏ ହେବେ ଭୁବନେଶ୍ୱର ମେୟର ଜାଣନ୍ତୁ ?

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେଡ଼ି ପକ୍ଷରୁ ବରିଷ୍ଠ ନେତ୍ରୀ ସୁଲୋଚନା ଦାସ, ବିଜେପି ପକ୍ଷରୁ ଡକ୍ଟର ସୁନୀତି ମୁଣ୍ଡ ଓ କଂଗ୍ରେସ ପକ୍ଷରୁ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର ପ୍ରାର୍ଥୀ କରାଯାଇଛି ।
ଯାଜପୁରରେ ଜନ୍ମିତ ସୁଲୋଚନା ଦାସ ୧୯୯୧ରେ ଦିଲ୍ଲୀ ମିଡ଼-ଡେ଼ରୁ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଦିଲ୍ଲୀ ଓ ଓଡ଼ିଶାର ପ୍ରମୁଖ ଟିଭି ଚ୍ୟାନେଲରେ କାର୍ଯ୍ୟ କରିଥିଲେ । ୨୦୧୪ରେ ସାମ୍ବାଦିକତା ଜଗତରୁ ମୁହଁ ଫେରାଇବା ସହ ରାଜନୀତିରେ ପାଦ ଥାପି କଂଗ୍ରେସରେ ଯୋଗ ଦେଇଥିଲେ । କଂଗ୍ରେସର ମୁଖପାତ୍ର ହେବା ସହ ଧିରେଧିରେ ସମସ୍ତଙ୍କ ନଜରକୁ ଆସିଥିଲେ । ୨୦୧୭ରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦେବା ସହ ମହିଳା ବିଜେଡ଼ିର କାର୍ଯ୍ୟକାରୀ ସଭାପତି ହୋଇଥିଲେ । ୨୦୧୯ରୁ ସେ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଥିଲେ ।
ସେହିପରି ବିଜେପି ମେୟର ପ୍ରାର୍ଥୀ ଡକ୍ଟର ସୁନୀତି ମୁଣ୍ଡ ବହୁବର୍ଷ ଧରି ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ । ଚଳଚ୍ଚିତ୍ର ଜଗତ ସହ ମଧ୍ୟ ସେ ଜଡ଼ିତ ଅଛନ୍ତି । ସେ ୨୮ଟି ବହି ଲେଖିବା ସହ ଦକ୍ଷ ୱେଲଫେୟାର ଟ୍ରଷ୍ଟ ଜରିଆରେ ସାମାଜିକ ସେବା କରୁଥିଲେ । ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ଜଣେ ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ ଓ ଓଡ଼ିଶୀ ନୃତ୍ୟଶିଳ୍ପୀ । କମଳା ନେହେରୁ ମହାବିଦ୍ୟାଳୟର ସଭାପତି ଓ ସମ୍ପାଦକ ହୋଇଥିଲେ । ସେ ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳୀ ଚରଣ ପଣ୍ଡାଙ୍କ ବୋହୂ । କାଙ୍ଗାଳୀ ନିର୍ବାଚନ ଲଢିବା ସମୟରେ ସେ ନିର୍ବାଚନ ପରିଚାଳନାରେ ସହଯୋଗ କରୁଥିଲେ ।
Powered by Froala Editor