ଶ୍ରୀତମ ଦାସ କଟକ ବିଜେପି ମେୟର ପ୍ରାର୍ଥୀ
କଟକ: ପୌର ନିର୍ବାଚନ ପାଇଁ ସରଗରମ ସହର । ନାମାଙ୍କନ ପାଇଁ ହାତରେ ଆଉ ଦୁଇ ଦିନ ସମୟ । ଏହାରି ଭିତରେ ଆଜି କଟକ ପାଇଁ ବିଜେପି ପକ୍ଷରୁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଅଭିନେତା ଶ୍ରୀତମ ଦାସଙ୍କୁ କଟକ ମେୟର ପ୍ରାର୍ଥୀଭାବେ ବିଜେପି ଘୋଷଣା କରିଛି । କଟକ ନଗର ବିଜେପି ସଭାପତି ଆଜି ଶ୍ରୀତମଙ୍କ ନାମ ଘୋଷଣା କରିଛନ୍ତି ।
ପ୍ରକାଶ ଯେ, ଗତକାଲି ବିଜେଡି ପକ୍ଷରୁ କଟକ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଥିଲା । ସୁବାସ ସିଂଙ୍କୁ ବିଜେଡି ପକ୍ଷରୁ ମେୟର ପ୍ରାର୍ଥୀ କରାଯାଇଛି ।
ଅନ୍ୟପକ୍ଷରେ କଂଗ୍ରେସ ଗିରିବାଳା ବେହେରାଙ୍କୁ ମେୟର ପ୍ରାର୍ଥୀ ଭାବେ ଚୟନ କରିଛି।
ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ୨୬ ତାରିଖରେ ଭୋଟ୍ ଗଣତି ହେବ। ସେଥିପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ମାର୍ଚ୍ଚ ୯ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ଓ ୧୪ ତାରିଖ ସୁଦ୍ଧା ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି।
ଚଳିତବର୍ଷ ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ ସିଧାସଳଖ ହେବ। ଲୋକମାନେ ସେମାନଙ୍କୁ ବାଛିବେ। ଭୋଟିଂ ପାଇଁ ଇଭିଏମ୍ ବ୍ୟବହାର କରାଯିବ। ପ୍ରତି ବୁଥ୍ରେ ୨ଟି ଇଭିଏମ୍ ରହିବ। ଗୋଟିଏ ଇଭିଏମ୍ରେ ମେୟର କିମ୍ବା ପୌରାଧ୍ୟକ୍ଷଙ୍କୁ ଭୋଟ୍ ଦେଇ ହେବ। ଦ୍ୱିତୀୟ ଇଭିଏମ୍ରେ କର୍ପୋରେଟରଙ୍କୁ ଭୋଟ୍ ଦେବେ ଭୋଟର। ଏଥର ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟାର ବିକଳ୍ପ ରହିବ। ଏପ୍ରିଲ ୭ ତାରିଖରେ ପୌର ଉପାଧ୍ୟକ୍ଷ, ୮ ତାରିଖରେ ଡେପୁଟି ମେୟର ନିର୍ବାଚନ ହେବ।
Powered by Froala Editor