୧୫୦ ଫୁଟ୍ କୂଅରୁ ଉଦ୍ଧାର ହେଲେ ଛାତ୍ରୀ: ୩୫ ଘଣ୍ଟା ରହିଥିଲେ ବିଷାକ୍ତ ସାପ, ବିଛାଙ୍କ ସହିତ
ରାଜସ୍ଥାନ ଅଲୱାର ସହରରୁ ଏକ ଛାତି ଥରିଗଲା ଭଳି ଘଟଣା ସାମ୍ନାକୁ ଆସିଛି । ୧୫୦ ଫୁଟ୍ ଗଭୀର କୂଅରୁ ଜଣେ ଛାତ୍ରୀଙ୍କୁ ବିଷାକ୍ତ ସାପ ଓ ବିଛାଙ୍କ ଭିତରୁ ଜୀବିତ ଉଦ୍ଧାର କରାଯାଇଛି । ଛାତ୍ରୀଙ୍କୁ ତାଙ୍କ ଭିଣୋଇ କୂଅରେ ପକାଇ ଦେଇଥିଲେ । ତଥାପି ୩୫ ଘଣ୍ଟା ଧରି ସଂଘର୍ଷ କରି ସେ ବଞ୍ଚି ରହିଥିଲେ । ଭୋକ ଉପାସରେ କୂଅର ଅନ୍ଧକାର ଭିତରେ ସେ କିପରି ରହିଥିଲେ ତାହା ଭାବିଲେ ଛାତି ଥରି ଉଠିବ । ତେବେ ଛାତ୍ରୀ ଜଣକ ଉଦ୍ଧାର ପରେ ଅଭିଯୁକ୍ତ ଭିଣୋଇକୁ ଗିରଫ କରାଯାଇଛି ।
ସୂଚନା ମୁତାବକ, ଅଲୱାର ସହରର କୋଟୱାଲି ପୁଲିସ ଷ୍ଟେସନ ଅଞ୍ଚଳରେ ରହୁଥିବା ଜଣେ ଛାତ୍ରୀ ଦୁଇ ଦିନ ପୂର୍ବରୁ ନିଖୋଜ ହୋଇଯାଇଥିଲେ। ଛାତ୍ରୀଙ୍କୁ ଅଲୱାର ସହରର ଆକାଶବାଣୀ କେନ୍ଦ୍ର ନିକଟ ଏକ ପରିତ୍ୟକ୍ତ କୂଅରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। କୋଟୱାଲି ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଛାତ୍ରୀଙ୍କୁ ସୁରକ୍ଷିତ ଭାବେ କୂଅରୁ ଉଦ୍ଧାର କରିଛି। ଛାତ୍ରୀ ଜଣକ ଆହତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ପୁଲିସ ଦ୍ୱାରା ସିସିଟିଭି କ୍ୟାମେରା ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ ଛାତ୍ରୀ ଜଣକ ଶେଷ ଥର ପାଇଁ ତାଙ୍କ ଭିଣୋଇଙ୍କ ସହ ଯାଉଥିଲେ । ଭିଣୋଇକୁ ପଚରାଉଚରା ପରେ ସେ କୂଅକୁ ଠେଲି ଦେଇଥିବା ସ୍ୱୀକାର କରିଛି । ଏହାପରେ ତାକୁ ଗିରଫ କରାଯାଇଛି । ବଡ କଥା ହେଉଛି ଯେ ଏହି ପରିତ୍ୟକ୍ତ କୂଅରେ ବହୁ ସଂଖ୍ୟକ ସାପ ଏବଂ ବିଛା ଥିଲେ ବି ଛାତ୍ରୀ ଜଣକ ପ୍ରାୟ ୩୫ ଘଣ୍ଟା ଧରି ଜୀବିତ ଥିଲେ ।
Powered by Froala Editor