ବିଜୁବାବୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଝଡ଼ର ଇଗଲ୍ ସେ । ଆଜି ପ୍ରବାଦ ପୁରୁଷ, ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ । ଏହି ଅବସରରେ ବିଜୁବାବୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବିଜୁ ପଟ୍ଟନାୟକ ପାର୍କ ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନବୀନ । ନତଃ ମସ୍ତକ ହୋଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବାପାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକ କଲ୍ୟାଣ ଓ ଉନ୍ନତି ପାଇଁ ବିଜୁବାବୁ ଆଙ୍କିଥିଲେ ବିକାଶର ବିସ୍ତୃତ ନକ୍ସା । ତାଙ୍କର ପ୍ରତିଟି କାମ ଥିଲା ଓଡ଼ିଆ ଜାତିର ସ୍ବାଭିମାନ ଓ ଗୌରବ ପାଇଁ । ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶା ଏବେ ଅନେକ କ୍ଷେତ୍ରରେ ଅଗ୍ରଣୀ ହୋଇଛି । ସେହି ବିକାଶ ପୁରୁଷଙ୍କ ଜୟନ୍ତୀରେ ତାଙ୍କ ଅବଦାନକୁ ସ୍ମରଣ କରିଛନ୍ତି ନବୀନ ପଟ୍ଟନାୟକ ।
୧୯୧୬ ମାର୍ଚ୍ଚ ୫ରେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଓ ଆଶାଲତା ଦେବୀଙ୍କର କଟକସ୍ଥିତ ତୁଳସୀପୁରର ଆନନ୍ଦ ଭବନରେ ପୁତ୍ର ବିଜୟାନନ୍ଦ ପଟ୍ଟନାୟକ ଜନ୍ମ ହୋଇଥିଲା। ବିଜୁ ବାବୁ କଟକ ମିଶନ୍ ସ୍କୁଲ ଓ ରେଭେନ୍ସା କଲିଜିଏଟରେ ପାଠ ପଢ଼ି ୧୯୩୨ରେ ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାଶ୍ କଲେ। ପିଲାଟିଦିନରୁ ସେ ନିର୍ଭୀକ, ଦୁଃସାହସିକ ଓ ଖେଳପ୍ରିୟ ଥିଲେ।
୧୯୩୫ରେ ବିମାନ ଚାଳନା ଶିକ୍ଷା ପାଇଁ ସେ ଦିଲ୍ଲୀ ଗଲେ। ଶିକ୍ଷା ପରେ ଲାଇସେନ୍ସ ପାଇ ଭାରତୀୟ ଜାତୀୟ ଏଆର୍ଓଏଜ୍ରେ ପାଇଲଟ୍ ଚାକିରି କଲେ। ପାଇଲଟ୍ ତାଲିମ ନେଉଥିବା ସମୟରେ ସେ ମହିଳା ସାଥି ଜ୍ଞାନଙ୍କୁ ଜାଣିଲେ। ରାଉଲପିଣ୍ଡିର ଶିଖ୍ ପରିବାରର ଝିଅ ଥିଲେ ଜ୍ଞାନ। ସେ ଦେଶରେ ପାଇଲଟ୍ ଲାଇସେନ୍ସ ପାଇବାରେ ପ୍ରଥମ ମହିଳା।
୧୯୩୯ରେ ଉଭୟଙ୍କର ବିବାହ ହେଲା। ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିବା ବିଜୁ ପଟ୍ଟନାୟକ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କରିଥିଲେ। କଳିଙ୍ଗ ସମ୍ରାଟ ବିଜୁ ପଟ୍ଟନାୟକ ୧୯୯୭, ଏପ୍ରିଲ୍ ୧୭ରେ ପ୍ରାଣ ହରାଇଥିଲେ।
Powered by Froala Editor