ଭାରତୀୟ ଛାତ୍ରଛାତ୍ରୀଙ୍କୁ ଗାଇଗୋରୁ ଭଳି ପିଟୁଛି ୟୁକ୍ରେନ ସେନା, ଭିଡିଓ ଭାଇରାଲ
ୟୁକ୍ରେନ୍ର ଫସିଥିବା ଭାରତୀୟ ଛାତ୍ରଙ୍କୁ ମାରପିଟ୍ କରୁଛି ୟୁକ୍ରେନ୍ ସେନା । ଯାହାର ଭିଡିଓ ଭାଇରାଲ ହେଉଛି । ୟୁକ୍ରେନ ସେନା ସେମାନଙ୍କୁ ଗୋରୁଗାଈ ପରି ପିଟୁଥିବା କହି ଉଦ୍ଧାର ପାଇଁ ଭିଡିଓ ଜରିଆରେ କରୁଣ ନିବେଦନ କରୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ । ସେମାନଙ୍କ ସହ ଭେଦଭାବ ନୀତି ଆପଣାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ଭାରତୀୟ ଛାତ୍ରଛାତ୍ରୀ। ଏପରିକି ନିଜ ଉପରେ ବିତୁଥିବା ଲୋମଟାଙ୍କୁରା କାହାଣୀର ଭିଡିଓ କରି ଉଦ୍ଧାର ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି ବହୁ ଛାତ୍ରଛାତ୍ରୀ।
ଏହାପୂର୍ବରୁ ୟୁକ୍ରେନ ଫେରନ୍ତା ତାମିଲନାଡ଼ୁର ଜଣେ ଛାତ୍ର କହିଛନ୍ତି, ରୋମାନିଆ ସୀମାରେ ପହଞ୍ଚିବା ନିମନ୍ତେ ଭାରତୀୟ ଛାତ୍ରଙ୍କୁ ଦୀର୍ଘ ୫ରୁ ୮ କିମି ଚାଲିବାକୁ ପଡ଼ୁଛି। ଏହାପରେ ବି ସେମାନଙ୍କୁ ବହୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି।
ଏକ ଅଡିଓ ବାର୍ତ୍ତାରେ ଜଣେ ଛାତ୍ରୀ କହିଛନ୍ତି, ସେଠାରେ କେବଳ ୟୁକ୍ରେନବାସୀଙ୍କୁ ବର୍ଡର ପାର୍ କରିବାକୁ ପ୍ରାଥମିକତା ଦିଆଯାଉଛି। ବହୁ ଗୁହାରୀ କରିବା ପରେ କେବଳ ଭାରତୀୟ ଛାତ୍ରୀଙ୍କୁ ୟୁକ୍ରେନ ଛାଡ଼ିବାକୁ ଅନୁମତି ମିଳୁଛି। ଏହାପରେ ସେଠାରେ ପୁଲିସ୍ ପହଞ୍ଚି ଭାରତୀୟ ଛାତ୍ରଙ୍କୁ ନିର୍ଧୂମ ପିଟିଥିବା ସହ ଅକଥନୀୟ ନିର୍ଯାତନା କରିଥିବା ଅଭିଯୋଗ ହୋଇଛି।
ଏପଟେ ଡାକ୍ତରୀ ଛାତ୍ରମାନଙ୍କୁ ମାରପିଟ୍ କରାଯାଉଥିବା ବେଳର ଏକ ଭିଡିଓ ସେୟାର କରି ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ କହିଛନ୍ତି ଯେ, ଆମେ ଆମର ନାଗରିକଙ୍କୁ ଏଭଳି ଛାଡି ପାରିବା ନାହିଁ। ଯେଉଁମାନେ ଏହି ହିଂସାକାଣ୍ଡର ଶିକାର ହୋଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା। କୌଣସି ବି ମାତାପିତାଙ୍କୁ ଏହି କଷ୍ଟ ସହିବାକୁ ନପଡୁ। ଏହି ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ ସେଠାରୁ ବାହାରକୁ ବାହାର କରିବା ପାଇଁ ଭାରତ ସରକାର କରିଥିବା ଯୋଜନାକୁ ସେୟାର କରିବା ଉଚିତ୍। ଏହାଦ୍ଵାରା ୟୁକ୍ରେନ୍ର ଛାତ୍ରଛାତ୍ରୀମାନେ ଅବଗତ ହୋଇପାରିବେ ଏବଂ ଧର୍ଯ୍ୟ ରଖିବେ।
Powered by Froala Editor