ଖଣ୍ଡଗିରିରେ କପିଲ ଶର୍ମା
ଭୁବନେଶ୍ୱର : ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସିନେ ନିର୍ମାତା ନନ୍ଦିତା ଦାସ ବଲିଉଡ ଷ୍ଟାର୍ ହାସ୍ୟାଭିନେତା କପିଲ ଶର୍ମାଙ୍କୁ ନେଇ ନିର୍ମାଣ କରୁଛନ୍ତି ସିନେମା । ଯାହାର ସୁଟିଂ ଏବେ ଭୁବନେଶ୍ୱରରେ ଚାଲିଛି । ଶନିବାର ସିନେମାର ସୁଟିଂ ଖଣ୍ଡଗିରି ଅଞ୍ଚଳର ବିଭିନ୍ନ ସ୍ଥାନରେ ହେଉଥିଲା । ଯାହାକୁ ଦେଖିବା ଲାଗି ସକାଳୁ ସଞ୍ଜ ପର୍ୟ୍ୟନ୍ତ ଭିଡ଼ ଜମିଥିଲା । କପିଲ ଆସୁଥିବା ଶୁଣି ଦର୍ଶକ ରାସ୍ତାରେ ଏବଂ ସୁଟିଂ ସ୍ପଟ୍ରେ ଭିଡ଼ ଜମାଇଥିଲେ । ପୂର୍ବାହ୍ନ ସମୟରେ ଖଣ୍ଡଗିରି ପାହାଡ଼ ତଳ ନାକାଗେଟ୍ ଛକ ନିକଟ ଏକ ମଲ୍ ନିକଟରେ ସୁଟିଂ ହେଉଥିଲା ବେଳେ ସନ୍ଧ୍ୟାରେ ଖଣ୍ଡଗିରି ଥାନା ନିକଟ ଖାରବେଳ ହୋଟେଲ ପାଖ ଜେଡିସିଏ ଆର୍ଟ ସେଣ୍ଟର ପରିସରରେ ସୁଟିଂ ହୋଇଥିଲା ।
ସେଥିପାଇଁ ରାସ୍ତାରେ କିଛି କ୍ଷଣ ପାଇଁ ପ୍ରବଳ ଭିଡ଼ ଜମିଥିଲା । ଦର୍ଶକ ବହୁତ ଦୂରର ଛିଡ଼ା ହୋଇ ସୁଟିଂ ଦେଖୁଥିଲା ବେଳେ ଫଟୋ ଏବଂ ଭିଡିଓ ସୁଟିଂ ଲାଗି ବାରଣ କରାଯାଇଥିଲା । ଏହି ସିନେମାର ଶୀର୍ଷକ ଘୋଷଣା ହୋଇନଥିଲା ବେଳେ ଫଟୋ ଏବଂ ଭିଡିଓ ବି ସୋସିଆଲ୍ ମିଡିଆରେ ଅପଡେଟ୍ କରାଯାଉନି । ସିନେମାର ପ୍ରତିଟି ଘଟଣାକୁ ସସ୍ପେନ୍ସ ରଖାଯାଉଥିବା ସୂଚନା ଦିଆଯାଇଛି । ବର୍ତ୍ତମାନ ଅଧିକାଂଶ କଳାକାର ଭୁବନେଶ୍ୱରରେ ରହିଛନ୍ତି । ବର୍ତ୍ତମାନ ଏହାର ସୁଟିଂ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କରାଯିବ ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।
Powered by Froala Editor