୫୦୦ ଟପିଲା ବିଜୁ ଜନତା ଦଳ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ଫଳାଫଳ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ପରିଲକ୍ଷିତ ହୋଇଛି । ଆଜି ଦ୍ୱିତୀୟ ଦିନରେ ୩୦୬ ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି ଜାରି ରହିଛି । ତେବେ ଏଯାବତ ବିଜୁ ଜନତା ଦଳ ୫୦୦ରୁ ଉଦ୍ଧ୍ୱର୍ ଆସନରେ ଆଗୁଆ ଥିବାବେଳେ ବିଜେପି ୩୬ ଓ କଂଗ୍ରେସ ୧୫ଟି ଆସନରେ ଆଗୁଆ ରହିଛି । ଅପରପକ୍ଷରେ ସ୍ୱାଧୀନ ଓ ଅନ୍ୟ ଦଳଗୁଡ଼ିକ ୧୯ ଆସନରେ ଅଗ୍ରଣୀ ଲାଭ କରିଛନ୍ତି ।
୨୦୧୭ରେ ବିଜେଡ଼ି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାବେଳେ ଚଳିତ ନିର୍ବାଚନରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ପଶ୍ଚିମ ଓଡ଼ିଶା ହେଉକି ଦକ୍ଷିଣ ଓଡ଼ିଶା, ଉତର ଓଡ଼ିଶା ହେଉକି ଉପକୂଳ ଓଡ଼ିଶା ସବୁଠି ଶଙ୍ଖନାଦ ଶୁଭୁଛି । ବିଜେଡ଼ି ଯେଉଁ ତରିକାରେ ପଞ୍ଚାୟତ ନିର୍ବାଚନ ପରିଚାଳନା କରିଥିଲା ତାହା ସଠିକ ସାବ୍ୟସ୍ତ ହୋଇଛି । ବିରୋଧୀ ବିଜେପି ପୂର୍ବ ନିର୍ବାଚନ ତୁଳନାରେ ଚରମ ବିପର୍ଯ୍ୟୟର ସାମ୍ନା କରିଛି । ଯେଉଁଠି ବିଜେପି ବିଧାୟକ ଅଛନ୍ତି ସେଠାରେ ବି ବିଜେଡ଼ି ବାଜିମାତ କରିଥିବା ଦେଖିବାକୁ ମିଳୁଛି । ଅଧିକାଂଶ ଜିଲ୍ଲାରେ ବିଜୁ ଜନତା ଦଳ ଜିଲ୍ଲା ପରିଷଦ ଗଠନ କରିବା ନିଶ୍ଚିତ ହୋଇ ସାରିଥିବାବେଳେ ଗୋଟିଏ ବି ଜିଲ୍ଲାରେ ବିଜେପି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇବା ଭଳି ମନେ ହେଉନାହିଁ ।
ଗତକାଲି ଭଳି ଆଜିର ଟ୍ରେଣ୍ଡ ବି ବିଜୁ ଜନତା ଦଳ ସପକ୍ଷରେ ଯାଇଛି । ତେବେ ଭୋଟ ଗଣତି ପ୍ରକ୍ରିୟା ବହୁ ବିଳମ୍ବିତ ହେଉଥିବା ଲକ୍ଷ୍ୟ କରାଯାଉଛି । ଏପରିକି ଭୋଟ ଗଣତି ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଚାଲିଥିବା ଦେଖିବାକୁ ମିଳିଛି ।
Powered by Froala Editor