ଦେଶରେ ୧୦ ହଜାର ୨୭୩ ନୂଆ ସଂକ୍ରମିତ, ୨୪୩ ମୃତ
ନୂଆଦିଲ୍ଲୀ: ଦେଶରେ ମହାମାରୀ ସ୍ଥିତିରେ ସୁଧାର ଆସୁଛି । କମୁଛି ତୃତୀୟ ଲହର ପ୍ରଭାବ । ଦିନେ ଯେଉଁଠି ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଟପିଥିଲା, ଦିନ କେଇଟାରେ ତାହା ୧୦ ହଜାରରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୧୦,୨୭୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ୧୧,୪୯୯ ଥିଲା । ସଂକ୍ରମଣ ସହ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଉଛି । ଦେଶରେ ଦିନକରେ ୨୪୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦,୪୩୯ ଜଣ ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ୧,୧୧,୪୭୨ଟି ସକ୍ରିୟ ମାମଲା ରହିଛି । ଦୈନିକ ପଜିଟିଭ ହାର ଏବେ ୧.୦୦ ପ୍ରତିଶତରେ ପହଞ୍ଚିଛି । ଏଯାବତ୍ ଭାରତରେ ମୋଟ ୪,୨୨,୯୦,୯୨୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୫,୧୩,୭୨୪ ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେହିପରି ସମୁଦାୟ ୧,୭୭,୪୪,୦୮,୧୨୯ କୋଟି ଡୋଜ୍ ଟୀକାକରଣ କରାଯାଇଛି । କେବଳ ଶନିବାର ସନ୍ଧ୍ୟା ସୁଦ୍ଧା ୨୧ ଲକ୍ଷ ଡୋଜ୍ ଟିକା ଦିଆଯାଇଛି ।
Powered by Froala Editor