ରୁଷ ସେନାକୁ ରୋକିଲେ ୟୁକ୍ରେନ ଯବାନ, ବ୍ରିଜ୍ ସହ ନିଜକୁ ଉଡ଼ାଇଦେଲେ

ରୁଷ ଟ୍ୟାଙ୍କକୁ ଅଟକାଇବା ପାଇଁ ନିଜ ଜୀବନ ବାଜି ଲଗାଇଛନ୍ତି ଜଣେ ୟୁକ୍ରେନ ଯବାନ। ଯବାନ ଜଣକ ହେଲେ ମାରିନ ବାଟାଲିୟନ ଇଞ୍ଜିନିୟର ଭିଟାଲୟ ସାକାକୁନ ଭି । ସେ ନିଜ ସହ ଗୋଟିଏ ବ୍ରିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି।
ଜେନେରାଲ ଷ୍ଟଫ ଅଫ ଦି ଆର୍ମଡ ଫୋର୍ସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ରୁଷ ଦଖଲରେ ଥିବା କ୍ରିମେଆରୁ ଟ୍ୟାଙ୍କଗୁଡ଼ିକ ୟୁକ୍ରେନର ମେନଲ୍ୟାଣ୍ତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା। ରୁଷ ଟ୍ୟାଙ୍କଗୁଡ଼ିକୁ ରୋକିବା ପାଇଁ କୌଣସି ଉପାୟ ନଥିବାରୁ ସେନା ବାହିନୀ ବ୍ରିଜ୍ ଉଡ଼ାଇବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ଭିଟାଲୟ ନିଜ ଆଡ଼ୁ ବ୍ରିଜକୁ ବିସ୍ଫୋରଣରେ ଉଡ଼ାଇବାକୁ ଆଗ୍ରହ ପ୍ରକାଶ କରିଥିଲେ।
ସେ ଭଲ ଭାବେ ଜାଣିଥିଲେ ଯେ ବ୍ରିଜ୍କୁ ଉଡ଼ାଇବା ବେଳେ କିଛି ବି ଘଟିପାରେ। ତଥାପି ସେ ବ୍ରିଜ୍ ଉଡ଼ାଇବା କାମ କରିଥିଲେ। ଯେଉଁଥିରେ ତାଙ୍କ ଜୀବନ ମଧ୍ୟ ଯାଇଛି। ତାଙ୍କ ବଳିଦାନ ପାଇଁ ୟୁକ୍ରେନ ଆର୍ମି ରୁଷର ମୁକାବିଲା ପାଇଁ ଅଧିକ ସମୟ ପାଇବାକୁ ସକ୍ଷମ ହୋଇଥିଲା।
ସୂଚନା ଅନୁସାରେ, ମାରିନ ବାଟାଲିୟନ ଇଞ୍ଜିନିୟର ଭିଟାଲୟ ସାକାକୁନ ଭି ୟୁକ୍ରେନର ଦକ୍ଷିଣ ପ୍ରାନ୍ତରେ ଥିବା ଖେରସନ ପ୍ରଦେଶ ଅନ୍ତର୍ଗତ ହେନିଚେସ୍କ ବ୍ରିଜ ଉପରେ ମୁତୟନ ହୋଇଥିଲେ। ଏହି ସମୟରେ ରୁଷର ଏକାଧିକ ଟ୍ୟାଙ୍କ ବ୍ରିଜ୍ ଦେଇ ୟୁକ୍ରେନରେ ପଶିବାକୁ ଚେଷ୍ଟା କରିଥିଲେ।
Powered by Froala Editor