ଯୁଦ୍ଧରେ ବିଜୟୀ ହେବୁ: ୟୁକ୍ରେନ
ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ପୁଟିନ । ୟୁକ୍ରେନ ସେନ୍ୟବାହିନୀକୁ ଆତ୍ମସମର୍ପଣ କରିବାକୁ ପୁଟିନ ଆହ୍ୱାନ ଦେଇଛନ୍ତି । କେବଳ ସେତିକି ନୁହେଁ ୟୁକ୍ରେନର କିଭ ଓ ଖାରକିଭରେ ଋଷିଆ ପକ୍ଷରୁ ମିଜାଇଲ ଆକ୍ରମଣ କରାଯାଇଛି । ୟୁକ୍ରେନର ଅନ୍ୟାନ୍ୟ କେତେକ ଅଞ୍ଚଳରେ ମଧ୍ୟ ଆକ୍ରମଣ କରାଯାଇଛି ।
ତେବେ ଏହା ସତ୍ତେ ଯୁଦ୍ଧରେ ବିଜୟୀ ହେବା ନେଇ ୟୁକ୍ରେନ ଦମ୍ଭୋକ୍ତି ପ୍ରକାଶ କରିଛି । ଋଷିଆର ଯୁଦ୍ଧ ଘୋଷଣା ପରେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ୟୁକ୍ରେନ ଆତ୍ମରକ୍ଷା କରିବା ସହ ଯୁଦ୍ଧରେ ବିଜୟୀ ହେବ । ପୁଟିନ ୟୁକ୍ରେନ ଉପରେ ପୂର୍ଣ୍ଣ ଆକ୍ରମଣର ଆହ୍ୱାନ ଦେଇଛନ୍ତି । ଯୁଦ୍ଧ ଘୋଷଣା ଋଷିଆର ବିସ୍ତାରବାଦୀ ଆଭିମୁଖ୍ୟ । ବିଶ୍ୱବାସୀ ପୁଟିନଙ୍କୁ ଯୁଦ୍ଧରୁ ନିବୃତ୍ତ କରାନ୍ତୁ ବୋଲି ୟୁକ୍ରେନ ବୈଦେଶିକ ମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ଋଷିଆ ବିରୋଧରେ କାର୍ଯ୍ୟାନୁଷ୍ଠାନର ସମୟ ବୋଲି ସେ କହିଛନ୍ତି ।
ପ୍ରକାଶ ଯେ,ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଛି ରୁଷ। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସାମରିକ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ସହ ପଶ୍ଚିମ ଦେଶଗୁଡ଼ିକୁ ଖୋଲାଖୋଲି ଧମକ ଦେଇଛନ୍ତି। ଯଦି କୌଣସି ବାହାର ରାଷ୍ଟ୍ର ୟୁକ୍ରେନ ଓ ରୁଷ ବିବାଦ ମଧ୍ୟରେ ପଶିବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ସେ କହିଛନ୍ତି।
ପୁଟିନ କହିଛନ୍ତି, ମସ୍କୋ କେବେ ହେଲେ ୟୁକ୍ରେନକୁ ଦଖଲ କରିବାକୁ ଚାହୁଁନାହିଁ। ୟୁକ୍ରେନ ପଟୁ ବଢ଼ୁଥିବା ଧମକର ଉଚିତ ଜବାବ ଓ କିଭ୍ କରୁଥିବା ସାମରିକ ପଦକ୍ଷେପର ମୂଳପୋଛ କରିବାକୁ ଏପରି ପଦକ୍ଷେପ ନିଆଯାଉଛି। ଏଥପାଇଁ ଆମେ ମିଲିଟାରୀ ଅପରେସନର ନିଷ୍ପତ୍ତି ନେଇଛୁ। ଏବେ ସୀମାରେ ୟୁକ୍ରେନ ଓ ରୁଷ ଯବାନଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଛି। ତେଣୁ ସୁରକ୍ଷା ଚାହୁଁଥିଲେ ୟୁକ୍ରେନ ସୈନ୍ୟମାନେ ଆତ୍ମସମର୍ପଣ କରନ୍ତୁ ବୋଲି ସେ କହିଛନ୍ତି।
ଏଥିସହ ସେ ବାହାର ରାଷ୍ଟ୍ରଗୁଡ଼ିକୁ ଏଥିରେ ହସ୍ତକ୍ଷେପ ନ କରିବାକୁ କହିଛନ୍ତି। ପୁଟିନ କହିଛନ୍ତି, ଯଦି କେହି ଏହି ବିବାଦ ଭିତରେ ହସ୍ତକ୍ଷେପ କରିବେ, ତା’ହେଲେ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଇତିହାସରେ କେହି କେବେ ଯାହା ସମ୍ମୁଖୀନ ହୋଇ ନଥିବେ, ଏବେ ସେମାନଙ୍କୁ ସେଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ଏଥିପ୍ରତି ସମସ୍ତେ ସତର୍କ ରୁହନ୍ତୁ। ଆମେ ସବୁ ପ୍ରକାରର ନିଷ୍ପତ୍ତି ନେଇଛୁ। ମୋର ଆଶା ମୋତେ ସମସ୍ତେ ଭଲ ଭାବେ ଶୁଣିଥିବେ।
ବାରମ୍ବାର କହିବା ସତ୍ତ୍ୱେ ଆମେରିକା ଓ ଏହାର ସହଯୋଗୀମାନେ ୟୁକ୍ରେନକୁ ନାଟୋରେ ସାମିଲ କରିବାକୁ ଆଗଭର ହେଉଛନ୍ତି। ଏଥିସହ ମସ୍କୋ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଏହା କେବେ ହେଲେ ଗ୍ରହଣୀୟ ନୁହେଁ ବୋଲି ସେ ବେଶ ଆକ୍ରମଣାତ୍ମକ ଅନ୍ଦାଜରେ କହିଛନ୍ତି।
Powered by Froala Editor