ଗିରଫ ପରେ ବି ନବାବ କହିଲେ... ମୁଁ ଲଢିବି ଆଉ ଜିତିବି, ମୁଣ୍ଡ ନୁଆଁଇବି ନାହିଁ’
ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏନସିପି ବିଧାୟକ ତଥା ମହାରାଷ୍ଟ୍ର ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ନବାବ ମଲ୍ଲିକଙ୍କୁ ଗିରଫ କରିଛନ୍ତି। ଇଡି ମନି ଲଣ୍ଡରିଂ ମାମଲାରେ ଗିରଫ କଲା ପରେ ୬୨ ବର୍ଷୀୟ ରାଜନେତା ମଲ୍ଲିକ କହିଛନ୍ତି ଯେ ‘ଏହା ମୋ ବିରୋଧରେ ଏକ ଷଡ୍ଯନ୍ତ୍ର। ତେବେ, ମୁଁ ଲଢିବି ଆଉ ଜିତିବି, ମୁଣ୍ଡ ନୁଆଁଇବି ନାହିଁ’।
ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ସହିତ ଜଡିତ ମନି ଲଣ୍ଡରିଂ ମାମଲାର ଅନୁସନ୍ଧାନ କାଳରେ ନଓ୍ଵାବ ମଲ୍ଲିକଙ୍କୁ ଗିରଫ କରାଯାଇଛି । ଏଥିଲାଗି ତାଙ୍କୁ ବୁଧବାର ପଚରା ଉଚରା ନିମନ୍ତେ ଦକ୍ଷିଣ ମୁମ୍ବାଇ କାର୍ଯ୍ୟାଳୟକୁ ଡକାଯାଇଥିଲା। ସମନ ଅନୁସାରେ ସେ ସକାଳ ୮ଟା ବେଳେ ଇଡିଙ୍କ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଦୀର୍ଘ ୭ ଘଣ୍ଟା ଧରି ପଚରା ଉଚରା ପରେ ତାଙ୍କୁ ଗିରଫ କରାଯାଇଛି। ଇଡି କାର୍ଯ୍ୟାଳୟରୁ ବାହାରିବା ବେଳେ ଅପେକ୍ଷାରତ ଗଣମାଧ୍ୟମର ସାମ୍ବାଦିକମାନଙ୍କୁ ହାତ ହଲାଇ କହିଥିଲେ, ମୁଁ ଲଢିବି ଆଉ ଜିତିବି, ମୁଣ୍ଡ ନୁଆଁଇବି ନାହିଁ’। ଏହାପରେ ଶ୍ରୀ ମଲ୍ଲିକଙ୍କୁ ଇଡି ଅଧିକାରୀମାନେ ଡାକ୍ତରୀ ଯାଞ୍ଚ ପାଇଁ ଏକ ଗାଡିରେ ନେଇ ଯାଇଥିଲେ।
ମିଳିଥିବା ସୂଚନା ଅନୁସାରେ ମୁମ୍ବାଇ ବିସ୍ଫୋରଣରେ ଅଭିଯୁକ୍ତ ଓ ଦାଉଦ ଇବ୍ରାହୀମ ସହ ସମ୍ବଦ୍ଧିତ ଲୋକଙ୍କ ସହ ଆର୍ଥିକ ନେଣ ଦେଣ ମାମଲାରେ ତାଙ୍କୁ ଇଡି ଗିରଫ କରିଛନ୍ତି। କିଛି ଦିନ ପୂର୍ବେ ଇଡି ଠାଣେ ଜେଲରୁ ଦାଉଦ ଇବ୍ରାହୀମର ଭାଇ ଇକବାଲ କାସ୍କରକୁ ନିଜ ହେପାଜତକୁ ନେଇ ପଚରା ଉଚରା କରିଥିଲେ। ଏହି ପଚରା ଉଚରାରେ ଇକବାଲ ମଲ୍ଲିକଙ୍କ ନାମ ନେଇଥିଲା।
Powered by Froala Editor