୨ ଗାଁର ଲୋକେ କଲେ ଭୋଟ୍ ବର୍ଜନ
ନବରଙ୍ଗପୁର: ଆଜି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ୟ୍ୟାୟ ମତଦାନ ଚାଲିଥିବା ବେଳେ ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ପଞ୍ଚାୟତର ୨ ଗାଁର ଲୋକେ ଭୋଟ୍ ବର୍ଜନ କରିଛନ୍ତି। ଭୋଟ୍ ଦେବୁନି କହି ସେମାନେ ଜିଦ୍ରେ ଅଟଳ ଅଛନ୍ତି।
ତେନ୍ତୁଳିଖୁଣ୍ଟି ପଞ୍ଚାୟତର ବରଡାଯୋଡି ଓ ଲଦିପଦର ୧୪ ନମ୍ବର ୱାର୍ଡର ଗାଁର ଲୋକେ ଭୋଟ ବର୍ଜନ କରିଛନ୍ତି। ଏଯାଏଁ ମତଦାନ କେନ୍ଦ୍ରକୁ ଜଣେ ବି ଗାଁର ଭୋଟର୍ ଯାଇନାହାନ୍ତି। ଏହି ଦୁଇ ଗାଁ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ କରି ଭୋଟ ବର୍ଜନ ଧମକ ଦେଇଛନ୍ତି ଗ୍ରାମବାସୀ। ତେବେ ଗତକାଲି ଗାଁ ଲୋକଙ୍କୁ ପୋଲିଂ କର୍ମଚାରୀମାନେ ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଫଳରେ ବର୍ତ୍ତମାନ ପୋଲିଂ ପାର୍ଟି ସମସ୍ତ ପ୍ରକାରର ପ୍ରସ୍ତୁତି କରି ବୁଥରେ ଭୋଟରଙ୍କୁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି। ଏହି ଦୁଇଟି ଗାଁରେ ୧୮୨ଜଣ ଭୋଟର ଅଛନ୍ତି।
ଲଦିପଦର ଓ ବରଡ଼ାଯୋଡି ଗ୍ରାମଟି ତେନ୍ତୁଳିଖୁଣ୍ଟି ବ୍ଲକ ସଦର ମୁହକୁମାର ପଞ୍ଚାୟତ ମଧ୍ୟରେ ଆସୁଥିଲେ ମଧ୍ୟ ଗାଁକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। ପାହାଡିଆ ଅଞ୍ଚଳର ପଥର ରାସ୍ତା, ଯାହାକି ପାଦରେ ଚାଲି ଚାଲି ଗଲେ ମଧ୍ୟ ଅସୁବିଧା ହେଉଥିବା ବେଳେ ସ୍ୱାସ୍ଥ୍ୟସେବା ପାଇବାରେ ବଞ୍ଚିତ ହେଉଛନ୍ତି ଲୋକେ। ଏପରିକି ବରଡ଼ାଯୋଡି ଗାଁରେ ପିଲାଙ୍କ ଲାଗି ସ୍କୁଲ ଟିଏ ବି ନଥିବାରୁ ସେମାନେ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି। ସେହିଭଳି ଉକ୍ତ ଦୁଇ ଗାଁରେ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ନାହିଁ। ଯାହାକୁ ନେଇ ଆଜି ସେମାନେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇ କେହି ମଧ୍ୟ ଭୋଟ ଦେଉନାହାନ୍ତି।
Powered by Froala Editor