ମାଗଣା ପାଠ୍ୟପୁସ୍ତକ ବଣ୍ଟନ ପାଇଁ ଆସିଲା ଏସଓପି, ଜାଣନ୍ତୁ କ’ଣ

ଭୁବନେଶ୍ୱର: କରୋନା ସଂକ୍ରମଣ ବଢ଼ୁଥିବାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବନ୍ଦ ରହିଛି। କ୍ଲାସରୁମ୍ ଶିକ୍ଷା ହୋଇପାରିନାହିଁ। ତେବେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବା ସହ ଶିକ୍ଷାବର୍ଷ ଆରମ୍ଭରୁ ପିଲାଙ୍କ ନିକଟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚାଇବା ଦିଗରେ ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକ ପ୍ରକାଶନ ଓ ବିତରଣ ସଂସ୍ଥା ପକ୍ଷରୁ ଛପା ଯାଇଥିବା ପାଠ୍ୟପୁସ୍ତକ ଇତିମଧ୍ୟରେ ବ୍ଲକ/ଏନ୍ଏସି/ମ୍ୟୁନିସିପାଲିଟିସ୍ତରରେ ପହଞ୍ଚି ସାରିଛି । ତେବେ କୋଭିଡ୍-୧୯ ସ୍ଥିତି ସଙ୍ଗିନ୍ ହେଉଥିବାରୁ ପାଠ୍ୟପୁସ୍ତକ ବଣ୍ଟନ କରିବା ସମ୍ଭବପର ହୋଇପାରିନାହିଁ । ତଥାପି ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ପ୍ରାଥମିକତା ଦେଇ କରୋନା କଟକଣା ମଧ୍ୟରେ ମାଗଣା ପାଠ୍ୟପୁସ୍ତକ ବାଣ୍ଟିବାକୁ ବିଭାଗ ନିଷ୍ପତ୍ତି ନେଇଛି । ଏଥିପାଇଁ ଏସ୍ଓପି ଜାରି ହୋଇଛି ।
ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ପାଠ୍ୟପୁସ୍ତକ ସଂଗ୍ରହ କରିବା ଲାଗି ଅଭିଭାବକମାନେ ସ୍କୁଲକୁ ଆସିବେ।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗାଇଡ୍ଲାଇନ୍ ଅନୁପାଳନପୂର୍ବକ ସେମାନେ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା କରିବେ।
ଗୋଟିଏ ଘଣ୍ଟା ମଧ୍ୟରେ ଯେପରି ୩୦ଜଣ ଅଭିଭାବକଙ୍କୁ ବହି ଯୋଗାଣ ହେବ।
ବହି ବଣ୍ଟନ ସମୟରେ ୧୫ଜଣ ଅଭିଭାବକ କାଉଣ୍ଟର୍ରେ ଓ ୧୫ଜଣ ଅପେକ୍ଷା କକ୍ଷରେ ରହିବେ।
ସ୍କୁଲର ପ୍ରବେଶ ପଥରେ ଅଭିଭାବକଙ୍କୁ ହ୍ୟାଣ୍ଡ ସାନିଟାଇଜର ଓ ସାବୁନ ଯୋଗାଇ ଦିଆଯିବ।
ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି କ୍ୟାମ୍ପସରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ କୁହାଯାଇଛି।
ପୁସ୍ତକ ବଣ୍ଟନ ଲାଗି ଅଧିକ ସଂଖ୍ୟକ କାଉଣ୍ଟର୍ ଖୋଲିବାକୁ କୁହାଯାଇଛି।
ଯେଉଁମାନେ ବହି ବଣ୍ଟନ କରିବେ, ସେମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ।
ପାଠ୍ୟପୁସ୍ତକ ସଂଗ୍ରହ କରିବା କ୍ଷଣି ଅଭିଭାବକ ସ୍କୁଲ କ୍ୟାମ୍ପସ ଛାଡ଼ିବେ।
କଣ୍ଟେନ୍ମେଣ୍ଟ ଜୋନ୍ ଭିତରେ ପାଠ୍ୟପୁସ୍ତକ ବଣ୍ଟନ କରାଯିବ ନାହିଁ।
ତେବେ ଯଦି କୌଣସି ଅଭିଭାବକ ସ୍କୁଲରୁ ପାଠ୍ୟପୁସ୍ତକ ସଂଗ୍ରହ କରିବାକୁ ଆସି ନ ପାରନ୍ତି, ସେମାନଙ୍କ ଘରେ ପାଠ୍ୟପୁସ୍ତକ ପହଞ୍ଚାଇବା ଦିଗରେ ସ୍କୁଲ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବେ।
Powered by Froala Editor