ଚାକିରି ନାଁରେ ୧୫ ଲକ୍ଷ ଠକେଇର ଶିକାର

ଜୟପୁର : ଚାକିରି ଦେବାକୁ ପ୍ରଲୋଭନ ଦେଖାଇ ଆଶାୟୀଙ୍କୁ ଠକେଇ । ଚାକିରି ପ୍ରଦାନକାରୀ ସଂସ୍ଥା ପକ୍ଷରୁ ୧୫ ଲକ୍ଷ ଟଙ୍କା ଠକାଯାଇଛି । ଠକାମୀର ଶିକାର ହୋଇଛନ୍ତି ଜିଲ୍ଲାର ବିଭିନ୍ନ ଅଞ୍ଚଳର ୮୦ରୁ ଅଧିକ ଯୁବକଯୁବତୀ । ଏ ସମ୍ପର୍କରେ ଟାଉନ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଚଢ଼ଉ କରି ବିପୁଳ ଟଙ୍କା ଜବତ କରିଛି । ତଦନ୍ତ ଜାରି ରହିଥିବାରୁ କୌଣସି ତଥ୍ୟ ଦିଆଯାଇପାରିବନି ବୋଲି ଏସ୍ପିଓ ଅରୂପ ଅଭିଷେକ ବେହେରା କହିଛନ୍ତି । କିଛିଦିନ ତଳେ ସହରର ଏକ ସାହିରେ ନିଯୁକ୍ତି ଅନୁଷ୍ଠାନ ଖୋଲାଯାଇଥିଲା । ବ୍ଲକ୍ ରିଲେସନସିପ୍ ଅଫିସର (ବିଆରଓ) ଡିଷ୍ଟ୍ରିକ୍ଟ ରିଲେସନସିପ୍ ଅଫିସର (ଡିଆରଓ), ଶିକ୍ଷା ସହାୟକ ପଦ ଲାଗି ଇଚ୍ଛୁକ ପ୍ରାର୍ଥୀଙ୍କୁ ଆବେଦନ କରିବାକୁ କୁହାଯାଇଥିଲା । ଏ ସମ୍ପର୍କରେ ବିଜ୍ଞାପନ ପ୍ରକାଶ ପାଇଥିଲା । ନିଯୁକ୍ତି ଆଶାରେ ୮୦ରୁ ଅଧିକ ଆଶାୟୀ ଆବେଦନ କରିଥିଲେ । ମୁଣ୍ଡ ପିଛା ୨୦ ହଜାରରୁ ଅଧିକ ଟଙ୍କା ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଆଦାୟ କରାଯାଇଥିଲା । ଦୀର୍ଘ ଦିନ ବିତିଯାଇଥିଲେ ବି ଚାକିରି ନମିଳିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା । ଖବର ପୁଲିସ ପାଖରେ ପହଞ୍ଚିବା ପରେ ଏକ ଟିମ୍ ପକ୍ଷରୁ ଚଢ଼ଉ କରାଯାଇଛି । ପୁଳା ପୁଳା ଟଙ୍କା ସହ କାଗଜପତ୍ର ଜବତ ହୋଇଥିବା ଜଣାପଡ଼ିଛି ।
Powered by Froala Editor