କ୍ୟାନସର ସୃଷ୍ଟି କରୁଛି ଜନସନ ଆଣ୍ଡ୍ ଜନସନ ପାଉଡର !
ଜନ୍ସନ୍ ଆଣ୍ଡ ଜନ୍ସନ୍ ବେବି ପାଉଡରର ବେଶ୍ ଚାହିଦା ରହିଛି । କିନ୍ତୁ ଏହି ବେବି ପାଉଡର କ୍ୟାନସର ସୃଷ୍ଟିକାରୀ ବୋଲି ଜାଣିପଡିବା ପରେ, ଏହା ଉପରେ ସାରା ବିଶ୍ୱରେ ବ୍ୟାନ୍ କରିବାକୁ ଦାବି ହୋଇଛି। ଏହାଦ୍ବାରା କ୍ୟାନସର ହେଉଥିବା ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ବରେ ଏବେ ଏହା ଉପରେ ପ୍ରତିବନ୍ଧକ ଲଗାଯାଇପାରେ ବୋଲି ସୂଚନା ମିଳିଛି। ବ୍ରିଟେନରେ କମ୍ପାନୀର ଅଂଶୀଦାରମାନେ ଏକାଠି ହୋଇ ପାଉଡର ବିକ୍ରି ଉପରେ ବିଶ୍ୱବ୍ୟାପୀ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି।
ସୂଚନାଯୋଗ୍ୟ, ଏହି ପାଉଡର କାରଣରୁ ମହିଳାମାନଙ୍କୁ କର୍କଟ ହେଉଥିବା ନେଇ ଜନ୍ସନ୍ ଆଣ୍ଡ ଜନ୍ସନ୍ କମ୍ପାନୀ ଉପରେ ୩୪ ହଜାର ମୋକଦ୍ଦମା ଚାଲୁଛି। ଏହି ବେବି ପାଉଡରର ବ୍ୟବହାର କରିବା ପରେ ଓଭାରିଆନ୍ କ୍ୟାନସର ହେଉଥିବା ସେମାନେ ଦାବି କରିଛନ୍ତି।
ଆମେରିକାରେ ଏହି ପାଉଡରରେ ଆଜ୍ବେସ୍ଟସ୍ର ଏକ ପ୍ରକାର କ୍ରାଇସୋଟାଇଲ ଫାଇବର ମିଳିଥିଲା ଏବଂ ଏହି ଉପାଦାନକୁ କର୍କଟ ରୋଗ କାରକ ବୋଲି କୁହାଯାଏ। ଏହି ପାଉଡର ଦ୍ବାରା ଗର୍ଭାଶୟ କର୍କଟ ରୋଗ ହେବା ଅଭିଯୋଗରେ ହଜାର ହଜାର ମହିଳା ମୋକଦ୍ଦମା ଦାୟର କରିଥିଲେ । ଏହାପରେ ବିକ୍ରୟ ହ୍ରାସ ହେବା ବାହାନା କରି କମ୍ପାନୀ ୨୦୨୦ରେ ଆମେରିକା ଏବଂ କାନାଡାରେ ବେବି ପାଉଡର ବିକ୍ରୟ ବନ୍ଦ କରିଦେଇଥିଲା। କିନ୍ତୁ ଆଜି ବି ଏହା ବ୍ରିଟେନ ସହିତ ବିଶ୍ବର ଅନ୍ୟ ଦେଶମାନଙ୍କରେ ବିକ୍ରି ହେଉଛି।
ତେଣୁ ବ୍ରିଟେନର ଟ୍ୟୁଲିପଶେୟାର ନାମକ ଏକ ବିନିଯୋଗ ପ୍ଲାଟଫର୍ମ କମ୍ପାନୀର ଅଂଶୀଦାରମାନଙ୍କ ତରଫରୁ ବିକ୍ରୟ ବନ୍ଦ କରିବାକୁ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି। ଅଂଶୀଦାରମାନେ ସେମାନଙ୍କର ଅଂଶଧନକୁ ଏକତ୍ର କରି ପ୍ରସ୍ତାବ ପାଇଁ ଆବଶ୍ୟକ ଅଂଶୀଦାର ସଂଖ୍ୟା ସଂଗ୍ରହ କରୁଛନ୍ତି। ଆମେରିକାର ଷ୍ଟକ୍ ମାର୍କେଟ ନିୟାମକ ଏଜେନ୍ସି ଏସ୍ଇସିକୁ ଏହି ପ୍ରସ୍ତାବ ପଠାଯାଇଛି। ଏପ୍ରିଲରେ କମ୍ପାନୀର ବାର୍ଷିକ ବୈଠକ ଅଛି, ଯେଉଁଠାରେ ଏହି ପ୍ରସ୍ତାବ ଆଣିବା ପାଇଁ ପ୍ରୟାସ କରାଯାଉଛି।
Powered by Froala Editor