ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ

ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ଘଟିଛି । ରୋହିତଙ୍କ ଘର କଳାହାଣ୍ଡି ଜିଲ୍ଲାର ନକ୍ସଲ ଅଧ୍ୟୁଷିତ ମଦନପୁର ରାମପୁର ଅଞ୍ଚଳରେ । ରୋହିତ ଏକ ଦୈନିକ ଖବରକାଗଜରେ ରିପୋର୍ଟର ଭାବେ କାମ କରୁଥିଲେ । କରଲାଖୁଣ୍ଟା ବ୍ରିଜରେ ନକ୍ସଲଙ୍କ ପୋଷ୍ଟର ଲାଗିଥିବା ଖବର ପାଇ ରୋହିତ ଆଜି ସେଠାକୁ ଖବର ସଂଗ୍ରହ ପାଇଁ ଯାଇଥିଲେ। ପୋଷ୍ଟରଟି ଏକ ଗଛରେ ଲାଗିଥିବା ବେଳେ ତଥ୍ୟ ସଂଗ୍ରହ ପାଇଁ ରୋହିତ ଉକ୍ତ ଗଛ ନିକଟକୁ ଯାଇଥିଲେ। ତେବେ ହଠାତ୍ ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ହିଁ ଛିଟିକି ପଡ଼ିଥିଲେ । ତାଙ୍କ ମୁହଁ ଓ ହାତ ଗୋଡ଼ ତଥା ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିବା ସହ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ ।
ରୋହିତ ବିଶ୍ୱାଳଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା ଦେବା ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ପୋଲିସ ପକ୍ଷରୁ ୯ ଲକ୍ଷ ଓ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ମିଳିବ । ତୁରନ୍ତ ମୃତ ସାମ୍ବାଦିକଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ।
ସୂଚନା ଯେ, ନକ୍ସଲମାନେ ଆଜି ଏହି ସ୍ଥାନରେ ଭୋଟ ବର୍ଜନ କରିବାକୁ ପୋଷ୍ଟର ମାରିଥିଲେ । ଏହାବାଦ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଥିବା ପୁଲିସ୍ ସିଆରପିଏଫ କ୍ୟାମ୍ପକୁ ତୁରନ୍ତ ଉଠାଇବା ସେମାନେ ଦାବି କରିଛନ୍ତି । ଏଥିସହ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଆହ୍ଵାନ ମଧ୍ୟ ଦେଇଛନ୍ତି। ଏହି ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେକେବିଏନ ଡିଭିଜନ ବୋଲି ଉଲ୍ଲେଖ ରହିଛି ।
Powered by Froala Editor