ମାର୍ଚ୍ଚ ଶେଷ ସୁଦ୍ଧା ନିମ୍ନସ୍ତରକୁ ଚାଲିଆସିବ କରୋନାର ତୃତୀୟ ଲହର
ଦୁର୍ବଳ ହେବାରେ ଲାଗିଛି କରୋନାର ତୃତୀୟ ଲହର । କିନ୍ତୁ କିଛି ରାଜ୍ୟରେ ସଂକ୍ରମଣର ଗ୍ରାଫ ଉପର ମୁହାଁ ହୋଇ ରହିଛି। ଏସବୁ ଭିତରେ ଆଇସିଏମଆରର ଅତିରିକ୍ତ ଡିଜି ଡା ସମୀରନ ପଣ୍ଡା ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଚଳିତ ମାସ ଶେଷ ସୁଦ୍ଧା ସଂକ୍ରମଣ ନିମ୍ନସ୍ତରକୁ ଚାଲିଆସିବ। ମାର୍ଚ୍ଚ ସୁଦ୍ଧା ସମଗ୍ର ଦେଶରେ କୋଭିଡ୍ ସଂକ୍ରମଣ ମାମଲା ସାମଗ୍ରିକ ଭାବେ ହ୍ରାସ ପାଇବ ।
ତାଙ୍କ କହିବା ଅନୁଯାୟୀ, ମାର୍ଚ୍ଚ ସୁଦ୍ଧା ଦେଶର କରୋନା ସ୍ଥିତି ଆଶାତୀତ ଭାବେ ବଦଳିଯିବ। ଅର୍ଥାତ ମାର୍ଚ୍ଚ ବେଳକୁ ଦେଶରୁ କରୋନାର ତୃତୀୟ ୱେଭ ଜନିତ ସଂକ୍ରମଣ ପ୍ରାୟତଃ ଶେଷ ହୋଇଯିବ। ଏଥିସହ ଫେବୃଆରୀ ଶେଷ ସୁଦ୍ଧା ମହାରାଷ୍ଟ୍ର, ଦିଲ୍ଲୀ ଓ ପଶ୍ଚିମବଙ୍ଗରୁ କରୋନାର ତୃତୀୟ ୱେଭ ସଂକ୍ରମଣ ଆଉ ନ ବଢ଼ିପାରେ ବୋଲି ସେ କହିଛନ୍ତି।
ଡା ପଣ୍ଡା କହିଛନ୍ତି, “ଦିଲ୍ଲୀ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ କରୋନା ତା’ର ପିକ୍ ଦେଖାଇ ସାରିଛି। ତେଣୁ ଫେବୃଆରୀ ଶେଷ ବେଳକୁ ଏହି ସବୁ ରାଜ୍ୟର ସ୍ଥିତି ସ୍ୱାଭାବିକ ହୋଇଯିବ। ମାର୍ଚ୍ଚ ସୁଦ୍ଧା ଦେଶର କରୋନା ସ୍ଥିତିରେ ଆଶାତୀତ ଭାବେ ଉନ୍ନତି ଆସିବ। ଯଦି ସାର୍ସ କୋଭ-୨ର ଆଉ କୌଣସି ଭାରିଏଣ୍ଟ ନ ଆସିଲା, ତା’ହେଲେ ଆମେ ଭବିଷ୍ୟତର ସ୍ଥିତିକୁ ନିୟନ୍ତ୍ରଣ କରିପାରିବା ବୋଲି ସେ କହିଛନ୍ତି ।
Powered by Froala Editor