ବିଶ୍ୱେଶ୍ୱରଙ୍କ ଆଗୁଆ ଜାମିନ୍ ମାମଲା, ୮ ରେ ହେବ ଶୁଣାଣି

କଟକ: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ଆଗୁଆ ଜାମିନ୍ ମାମଲାର ଶୁଣାଣି ହାଇକୋର୍ଟରେ ଆସନ୍ତା ୮ ତାରିଖକୁ ଧାର୍ୟ୍ୟ ହୋଇଛି । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁଙ୍କ ଅଦାଲତରେ ଏହି ମାମଲାର ଶୁଣାଣି ହେବ । ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ଶ୍ରୀ ଟୁଡ଼ୁ ଜିଲ୍ଲାର ଦୁଇ ଜଣ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ୟ୍ୟାଳୟରେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।
ଜିଲ୍ଲା ଯୋଜନା ଓ ପର୍ୟ୍ୟବେକ୍ଷଣ ବିଭାଗର ଉପନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ଏବଂ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କୁ ଶ୍ରୀ ଟୁଡ଼ୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଏକ ପ୍ଲାଷ୍ଟିକ୍ ଚେୟାରରେ ପିଟିଥିବା ଅଭିଯୋଗ ହୋଇଥିଲା । ଉଭୟ କର୍ମଚାରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏନେଇ ବାରିପଦା ଥାନାରେ ଏତଲା ଦିଆଯାଇଥିଲା । ପୁଲିସ୍ ମାମଲା ରୁଜୁ କରି ତଦନ୍ତ କରୁଥିଲାବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
Powered by Froala Editor