ଭାରତକୁ ଛୁଞ୍ଚି-ମୁକ୍ତ ଟିକା ‘ଜାଇକୋଭ୍-ଡି’ର ଯୋଗାଣ ଆରମ୍ଭ
ଭାରତ ସରକାରଙ୍କୁ କୋଭିଡ୍-୧୯ ଟିକା ‘ଜାଇକୋଭ୍-ଡି’ ଯୋଗାଣ ଆରମ୍ଭ କରିଛି ଔଷଧ କମ୍ପାନି ‘ଜାଇଡସ୍ କାଡିଲା’ । ବୁଧବାର ଠାରୁ କମ୍ପାନୀ ଟିକା ଯୋଗାଣ କରିବା ପ୍ରକ୍ରିୟା ଆରମ୍ଭ କରିଛି। ଭାରତ ସରକାର ଏହାକୁ ଗ୍ରହଣ କରିବା ପରେ ଲୋକଙ୍କୁ ଦେବା ପାଇଁ ବିଭିନ୍ନ ରାଜ୍ୟକୁ ପଠାଇବେ। ଅହମଦାବାଦର ଚଙ୍ଗୋଦରରେ ଥିବା ‘ଜାଇଡସ୍ ବାୟୋଟେକ୍ ପାର୍କ’ର ଅତ୍ୟାଧୁନିକ ‘ଜାଇଡସ୍ ଭ୍ୟାକ୍ସିନ୍ ଟେକ୍ନୋଲୋଜି ଏସ୍କେଲେନ୍ସ୍ ସେଣ୍ଟର୍’ ଏହି ଟିକା ପ୍ରସ୍ତୁତି କରାଯାଇଛି।
ଜାଇଡସ୍ କାଡିଲା ପକ୍ଷରୁ କୁହାଯାଇଛି ଯେ “ଜାଇକୋଭ-ଡି ଟ୍ରିପଲ ଡୋଜ୍ ଭିତ୍ତିକ ଟିକା। ଟିକା ନେବା ପାଇଁ କୌଣସି ଛୁଞ୍ଚିର ବ୍ୟବହାର କରାଯିବ ନାହିଁ। ଟିକା ଦେବା ପାଇଁ ସ୍ୱତନ୍ତ୍ର ଛୁଞ୍ଚିହୀନ ଆପ୍ଲିକେଟର ବ୍ୟବହାର କରାଯିବ। ୩ ଡୋଜ୍ବିଶିଷ୍ଟ ଏହି ଟିକାର ପ୍ରଥମ ଡୋଜ୍ ଦିଆଯିବାର ୨୮ ଏବଂ ୫୬ ଦିନ ପରେ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ଡୋଜ୍ ଦିଆଯିବ। ଟିକାର ଡୋଜ୍ ପିଛା ଦାମ ୨୬୫ ଟଙ୍କା ରହିଥିବା ବେଳେ ଆପ୍ଲିକେଟର ଦାମ ୯୩ ଟଙ୍କା ରହିଛି। ଏହି ଦରରେ ଜିଏସ୍ଟିକୁ ସାମିଲ କରାଯାଇନି।” ଅର୍ଥାତ ଜିଏସ୍ଟି ଲାଗିଲେ ଏହାର ଦାମ ଆହୁରି ଅଧିକ ହେବାର ସମ୍ଭାବନା ରହିଛି।
ଗତବର୍ଷ ଅଗଷ୍ଟ ମାସରେ ‘ଡ୍ରଗ୍ସ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ’ଙ୍କ (ଡିସିଜିଆଇ) ଠାରୁ ଜରୁରୀକାଳୀନ ବ୍ୟବହାର ସ୍ବୀକୃତି (ଇୟୁଏ) ପାଇଥିବା ‘ଜାଇକୋଭ୍-ଡି’ ହେଉଛି ବିଶ୍ବର ଏକମାତ୍ର ଛୁଞ୍ଚି-ମୁକ୍ତ ଟିକା। ଏହା ମଧ୍ୟ ବିଶ୍ବର ପ୍ରଥମ ‘ପ୍ଲାଜ୍ମିଡ୍ ଡିଏନ୍ଏ’ ଟିକା। ଉତ୍ପାଦନ ଲାଇସେନ୍ସ୍ ଏବଂ ଟେକ୍ନୋଲୋଜି ଟ୍ରାନ୍ସ୍ଫର୍ ପାଇଁ କମ୍ପାନି କୋରିଆ ସାଧାରଣତନ୍ତ୍ରର ‘ଏଞ୍ଜାଇକେମ୍ ଲାଇଫ୍ସାଇନ୍ସେସ୍’ ସହ ରାଜିନାମା କରିଛି।
Powered by Froala Editor