କର୍ଣ୍ଣାଟକରେ କଟକଣା କୋହଳ : ସ୍କୁଲ ଖୋଲିବ, ରାତ୍ରି କର୍ଫ୍ୟୁ ହଟିବ
କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ କର୍ଣ୍ଣାଟକ ସରକାର କଟକଣାକୁ କୋହଳ କରିଛନ୍ତି । ଆସନ୍ତା ସୋମବାରଠାରୁ ରାତ୍ରି କର୍ଫ୍ୟୁକୁ ହଟାଇବା ସହ ସ୍କୁଲ ଖୋଲିବାକୁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ଏବେ ସଂକ୍ରମଣ ୩୦ ହଜାର ଉପରେ ରହିଛି। ହେଲେ ଅଧିକାଂଶ ଆକ୍ରାନ୍ତ ଘରେ ରହି ସୁସ୍ଥ ହୋଇଯାଉଛନ୍ତି। ସେହିପରି ହସ୍ପିଟାଲରେ ଲୋକଙ୍କ ସଂଖ୍ୟା ହ୍ରାସ ପାଉଛି ଓ ଆରୋଗ୍ୟ ହାର ବଢ଼ୁଛି। ଏହି କାରଣରୁ କର୍ଣ୍ଣାଟକ ସରକାର କଟକଣା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ସୋମବାର ଠାରୁ ବେଙ୍ଗାଲୁରୁରେ ଥିବା ସମସ୍ତ ସ୍କୁଲ ଓ କଲେଜଗୁଡ଼ିକ ଅଫଲାଇନ କ୍ଲାସ ପାଇଁ ଖୋଲିବ। ତେବେ ଏଠାରେ କରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ। ପିଲାମାନଙ୍କ ଠାରୁ ଆରମ୍ଭ କରି ଶିକ୍ଷକମାନେ ମାସ୍କ ପରିଧାନ କରିବେ। ସେହିପରି ସାମାଜିକ ଦୂରତା ନିୟମକୁ ମଧ୍ୟ କ୍ଲାସରୁମରେ ଲାଗୁ କରାଯିବ।
କର୍ଣ୍ଣାଟକର ମନ୍ତ୍ରୀ ବି.ସି.ନାଗେଶ କହିଛନ୍ତି ଯେ ବିବାହ ପାଇଁ ସର୍ବାଧିକ ଲୋକ ସଂଖ୍ୟାରେ ବୃଦ୍ଧି କରାଯାଇଛି । ଇନଡୋର ହଲରେ ସର୍ବାଧିକ ୨୦୦ ଜଣ ଓ ଆଉଟଡୋର (ଖୋଲା ସ୍ଥାନ)ରେ ୩୦୦ ଲୋକଙ୍କୁ ଅନୁମତି ଦିଆଯିବ । ସବୁ କ୍ଷେତ୍ରରେ କୋଭିଡ୍ ଏସଓପିକୁ କଡ଼ାକଡି ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବାର ଓ ହୋଟେଲଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଥିବାବେଳେ ଜିମଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଚାଲିପାରିବ । ସ୍ବିମିଂ ପୁଲ, ସ୍ପୋର୍ଟ କଂପ୍ଲେକ୍ସ ଓ ଷ୍ଟାଡିୟମଗୁଡ଼ିକୁ ମଧ୍ୟ ୫୦ ପ୍ରତିଶତ କ୍ଷମତାରେ ଚାଲିବାକୁ ଅନୁମତି ଦିଆଯାଇଛି । ସରକାରୀ ଅଫିସଗୁଡ଼ିକ ସଂପୂର୍ଣ୍ଣ ଉପସ୍ଥାନ ସହ ଚାଲିପାରିବ । ମନ୍ଦିର ଓ ଧର୍ମାନୁଷ୍ଠାନଗୁଡ଼ିକୁ ଶ୍ରଦ୍ଧାଳୁମାନେ ଯାଇପାରିବେ । ତେବେ ସାମାଜିକ, ରାଜନୈତିକ, ଧାର୍ମିକ ସମାବେଶ, ବିକ୍ଷୋଭ ଆଦିକୁ ଅନୁମତି ଦିଆଯିବ ନାହିଁ । ମେଟ୍ରୋ ଓ ଅନ୍ୟ ପରିବହନ ସେବାଗୁଡ଼ିକ ସେମାନଙ୍କ ସିଟିଂ କ୍ଷମତା ଅନୁଯାୟୀ କାର୍ଯ୍ୟକ୍ଷମ କରିବେ ବୋଲି ସରକାର କହିଛନ୍ତି।
Powered by Froala Editor