ବିବାହ ମଣ୍ଡପରେ ଜିଲ୍ଲାପାଳଙ୍କ ଚଢ଼ଉ : ବର ଓ କନ୍ୟାକୁ ଗିରଫ ନିର୍ଦ୍ଦେଶ ଦେଲେ, ପଣ୍ଡିତଙ୍କୁ ଚାପୁଡା ମାରିଲେ

କର୍ଫ୍ୟୁବେଳେ ଚାଲିଥିଲା ବିବାହ । ସେ ପୁଣି ଶହ ଶହ ଅତିଥିଙ୍କୁ ନେଇ ଧୁମଧାମରେ ହୋଇଥିଲା ଆୟୋଜନ । ନା କରୋନାର ଭୟ ଥିଲା ନା ପ୍ରଶାସନିକ କଟକଣାର । ବାସ୍ ଏତିକି ଖବର ପହଞ୍ଚିଥିଲା ଜିଲ୍ଲାପାଳଙ୍କ କାନରେ । ତାପରେ ଜିଲ୍ଲାପାଳ ପହଞ୍ଚି ଏମିତି କାର୍ଯ୍ୟାନୁଷ୍ଠାନ ନେଲେଯେ, ସମସ୍ତେ ଦେଖି ଥରହର । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏ ଘଟଣା ହେଉଛି ତ୍ରିପୁରା ଅଗରତାଲାର ।
ଘଟଣା 26 ଏପ୍ରିଲ ରାତିରେ ଘଟିଛି। ଜିଲ୍ଲାପାଳ ଶୈଳେଶ ଯାଦବ କରୋନା ପ୍ରୋଟୋକଲ ଅନୁସରଣ କରିବାକୁ ସହରରେ ପାଟ୍ରୋଲିଂ କରିବାକୁ ଯାଇଥିଲେ। ରାତି 10ଟା ବେଳେ ସେ ଏକ ବିବାହ ଉତ୍ସବ ଧୁମଧାମରେ ହେଉଥିବା ଖବର ପାଇ ପହଞ୍ଚିଥିଲେ । ସେଠି କରୋନା କଟକଣା ଉଲଙ୍ଘନ ହେଉଥିବା ଦେଖି ସେ ରାଗିଯାଇଥିଲେ।
ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜିଲ୍ଲାପାଳ ଯେତେବେଳେ ମ୍ୟାରେଜ ହଲ ଭିତରକୁ ପ୍ରବେଶ କରୁଛନ୍ତି ଜଣେ ମହିଳା ତାଙ୍କୁ ପରମିଶନ ଲେଟର ଦେଖାଉଛନ୍ତି। ହେଲେ ଜିଲ୍ଲାପାଳ କିଛି ଶୁଣୁନାହାନ୍ତି ଏବଂ ସେ ସେହି ଲେଟରଟିକୁ ଚିରି ଫୋପାଡ଼ିଦେଉଛନ୍ତି। ସେ କହୁଛନ୍ତି ଯେ ରାତି 10ଟା ପରେ ବାହାଘର ପାଇଁ ଅନୁମତି ନାହିଁ। ବର, ପରିବାର ବର୍ଗ, ବୃଦ୍ଧ, ମହିଳା ଯଏ ବି ତାଙ୍କ ସାମ୍ନାକୁ ଆସିଲେ ସେ ସମସ୍ତଙ୍କୁ ଚାପୁଡ଼ା ମାରୁଛନ୍ତି। ଏହାପରେ ସେ ବର ଓ କନ୍ୟାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଯିଏ ବି ତାଙ୍କ ସହ କଥା ହେବାକୁ ଚେଷ୍ଟା କରୁଛନ୍ତି ସେ ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଏପରିକି ଜିଲ୍ଲାପାଳଙ୍କ ତାଗିଦକୁ ନେଇ ପଣ୍ଡିତ ଆପତ୍ତି କରିବାରୁ ପଣ୍ଡିତଙ୍କୁ ଚାପୁଡ଼ା ମାରିଛନ୍ତି ଜିଲ୍ଲାପାଳ ।
ଜିଲ୍ଲାପାଳ ଏହା ପରେ ମଣ୍ଡପକୁ ସିଲ କରିଥିଲେ । ଅବଶ୍ୟ ପରେ ନିଜର ଏଭଳି ବ୍ୟବହାର ପାଇଁ ସେ କ୍ଷମା ମଧ୍ୟ ମାଗିଛନ୍ତି । ତେବେ ଏହାକୁ ନେଇ ରାଜନୀତି ଜୋର ଧରିଛି । ଏହି ଘଟଣା ପରେ ରାଜ୍ୟ ବିଜେପିର କିଛି ବିଧାୟକ କହିଛନ୍ତି ଯେ ଜିଲ୍ଲାପାଳ ଜଣେ ବୃଦ୍ଧ ପଣ୍ଡିତଙ୍କୁ ମାଡ ମାରିବା ଠିକ ହୋଇନାହିଁ । ବର-କନ୍ୟା ଓ ତାଙ୍କ ସମ୍ପର୍କୀୟଙ୍କୁ ଖରାପ ବ୍ୟବହାର ଜଣେ ଜିଲ୍ଲାପାଳଙ୍କୁ ଶୋଭା ଦିଏ ନାହିଁ ବୋଲି ସେମାନେ ଦାବି କରିଛନ୍ତି ।
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାପରେ ଜଲ୍ଲାପାଳ ଶୈଳେଶ ଯାଦବଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ମୁଖ୍ୟମନ୍ତ୍ରୀ ଦୁଇଜଣ ସାଂସଦଙ୍କ ଏକ କମିଟି ଗଠନ କରିଛନ୍ତି। ପଶ୍ଚିମ ତ୍ରିପୁରା ସାଂସଦ ତଥା ବିଜେପି ନେତା ପ୍ରତୀମା ଭୋମିକ କହିଛନ୍ତି ଯେ ସେ ବରର ସମ୍ପର୍କୀୟଙ୍କୁ ଦେଖା କରିବେ ଏବଂ ସେମାନଙ୍କଠାରୁ ଏହି ଘଟଣା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଗ୍ରହଣ କରିବେ।
Powered by Froala Editor