ଠାକୁରଙ୍କୁ ରସଗୋଲା ଭୋଗ ଦେଇ ଚୋରି କରିବାକୁ ଯାଇଥିଲେ, ଧରାପଡ଼ିଲେ

ଔଷଧ ଦୋକାନୀଙ୍କୁ ଲୁଟୁଥିବା ୪ଜଣ ବଙ୍ଗାଳି ଲୁଟେରାଙ୍କୁ ଗିରଫ କରିଛି ପୁଲିସ । ସେମାନଙ୍କ ଠାରୁ ୩୯,୦୦୦ଟଙ୍କା ଜବତ କରାଯାଇଛି । ପୁଲିସର ସୂଚନା ମୁତାବକ, ଚୋରି କରିବା ଆଗରୁ ଅଶୋକ ନଗରର ଏକ ଲଜରେ ଠାକୁରଙ୍କୁ ରସଗୋଲା ଭୋଗ ଦେଇଥିଲେ ଏହି ୪ ଚୋର। ଏହା ପରେ ଭୁବନେଶ୍ୱରର ୪ଟା ସ୍ଥାନରେ ସେମାନେ ଚୋରି କରିଥିଲେ। ୪ଟି ଔଷଧ ଦୋକାନରୁ ଚୋରି କରି ଏହି ଅଭିଯୁକ୍ତମାନେ ଫେରାର ଥିବା ବେଳେ ପ୍ରଥମେ ବ୍ରହ୍ମପୁର, ଭୁବନେଶ୍ୱର ଓ ପରେ କଟକ ଯିବା ରାସ୍ତାରୁ ପୁଲିସ ୪ଜଣ ଅଭିଯଯୁକ୍ତଙ୍କୁ ଉଠାଇନେଇଥିବା ଜଣାପଡ଼ିଛି।
ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗର ହୋଇଥିବା ବେଳେ ସେମାନଙ୍କ ନାମ ହେଲା ରାଜୁ, ଶଙ୍କର, ସୋନୁ ଓ ଶାମ । ରାଜୁ ଘର ପଶ୍ଚିମବଙ୍ଗରେ ହୋଇଥିବା ବେଳେ ଶଙ୍କର, ସୋନୁ, ଶାମଙ୍କ ଘର ଉତ୍ତର ଚବିଶପ୍ରଗଣାରେ ବୋଲି ଜଣାଯାଇଛି।
ରାଜୁ ଗ୍ୟାଙ୍ଗ ଲିଡର ଥିବା ବେଳେ ସେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲା। ମହାମାରୀ କରୋନା ବେଳେ ହୋଇଥିବା ଲକ୍ଡାଉନ୍ କାମ ମିଳିଲା ନାହିଁ। ତେଣୁ ରାଜୁ ବ୍ରହ୍ମପୁର ପଳାଇ ଆସିଥିଲା। ସେଠାରେ ଏକ ଲେଡିଜ୍ କର୍ଣ୍ଣର ଓ ପୁରୁଣା ବସ୍ଷ୍ଟାଣ୍ଡ ପାଖରେ ଏକ ଔଷଧ ଦୋକାନରୁ ଲୁଟ୍ କରି ୧୭ ତାରିଖ ସକାଳେ ଭୁବନେଶ୍ୱର ପଳାଇ ଆସିଥିଲା। ଭୁବନେଶ୍ୱର ରେଳ ଷ୍ଟେସନ ପାଖ ଏକ ଗେଷ୍ଟ ହାଉସରେ ୨ ଟି ରୁମ୍ ନେଇ ରାଜୁ ଓ ତା’ର ସହଯୋଗୀ ରହିଥିଲେ। ଏହାପରେ ହୋଟେଲ୍ ବଦଳାଇବା ସହ ୨୦ ତାରିଖରେ ବଡ଼ଗଡ଼, ୨୧ରେ ନୟାପଲ୍ଲୀ, ୨୨ରେ ଶ୍ରୀଲିଙ୍ଗରାଜ ଓ ୨୪ରେ ଖାରବେଳ ନଗର ଥାନାର ବିଭିନ୍ନ ଔଷଧ ଦୋକାନରୁ ଠକାମୀ କରି ଲୁଟ୍ କରିଥିଲେ। କମିଶନରେଟ ପୁଲିସ ସ୍ପେଶାଲ ସ୍କ୍ୱାର୍ଡ ଏମାନଙ୍କୁ ଧରିବାରେ ସଫଳ ହୋଇଛି।
Powered by Froala Editor