ବଢ଼ିଲା ଅବଧି : ଜାନୁଆରୀ ୩୧ ଯାଏ ହେବନି ନିର୍ବାଚନୀ ରାଲି ଓ ରୋଡ ସୋ

ନିର୍ବାଚନୀ ରାଲି ଓ ରୋଡସୋ ଉପରେ ଲାଗିଥିବା କଟକଣା ଆସନ୍ତା ଜାନୁଆରି ୩୧ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଉତ୍ତର ପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ, ପଞ୍ଜାବ ଓ ମଣିପୁରରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କୌଣସି ପ୍ରକାରର ରୋଡ ଶୋ’, ରାଲି କିମ୍ବା ପଦଯାତ୍ରା ଅନୁଷ୍ଠିତ ହୋଇପାରିବ ନାହିଁ। କେବଳ ଭୁର୍ଚୁଆଲ ରାଲି ଓ ସଭା ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚିବେ ପ୍ରାର୍ଥୀମାନେ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ରାଜନୈତିକ ଦଳ ଓ ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନଙ୍କ ଦ୍ବାରା ଜନସଭା ଲାଗି ଜାନୁଆରି ୨୮ରୁ କଟକଣାକୁ କିଛିଟା କୋହଳ କରାଯିବ । ସେହିପରି ୨ୟ ପର୍ଯ୍ୟାୟ ପାଇଁ ଫେବ୍ରୁଆରି ୧ରୁ ଅନୁମତି ଦିଆଯିବ । ତେବେ ଏସବୁ ଜନସଭା କରିବାବେଳେ କୋଭିଡ ନିୟମ ପାଳନ କରାଯିବ । ପୂର୍ବରୁ ଡୋର ଟୁ ଡୋର ପ୍ରଚାର ପାଇଁ ସର୍ବାଧିକ ୫ ଜଣ ଲୋକଙ୍କୁ ଅନୁମତି ମିଳୁଥିଲା। ହେଲେ ଏବେ ଏହି ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। କୋଭିଡ କଟକଣା ମଧ୍ୟରେ ରାଜନୀତିକ ଦଳଗୁଡ଼ିକ ଭିଡିଓ ଭ୍ୟାନକୁ ପ୍ରଚାର ପାଇଁ ଖୋଲା ସ୍ଥାନରେ ବ୍ୟବହାର କରିପାରିବେ ବୋଲି କମିଶନ କହିଛନ୍ତି।
ସୂଚନାଯୋଗ୍ୟ ଯେ ଆସନ୍ତା ଫେବ୍ରୁଆରି ୧୦ରୁ ୫ଟି ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ବିଧାନସଭା ନିର୍ବାଚନ ହେବ । ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ହେବ । ଫେବ୍ରୁଆରି ୧୦ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ୨ୟ ପର୍ଯ୍ୟାୟ ନିର୍ବାଚନ ୧୪ ଫେବ୍ରୁଆରିରେ ୪ଟି ରାଜ୍ୟ ଯଥା ଉତ୍ତରପ୍ରଦେଶ, ଗୋଆ, ପଞ୍ଜାବ ଓ ଉତ୍ତରାଖଣ୍ଡରେ ହେବ । ମଣିପୁରରେ ଫେବ୍ରୁଆରି ୨୭ ଓ ମାର୍ଚ୍ଚ ୩ରେ ଭୋଟ ଗ୍ରହଣ ହେବ ।
Powered by Froala Editor