ସରୋଗେସି ମାଧ୍ୟମରେ ମା’ ହେଲେ ପ୍ରିୟଙ୍କା

ମୁମ୍ବାଇ: ସରୋଗେସି ମାଧ୍ୟମରେ ମା’ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଏନେଇ ସେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ଏହା ଜାଣିବା ପରେ ଫ୍ୟାନ୍ସ ଓ ପ୍ରଶଂସକମାନେ ଉଭୟ ପ୍ରିୟଙ୍କା ଓ ନିକ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରିୟଙ୍କା ସୋସିଆଲ୍ ମିଡିଆରେ ପୋଷ୍ଟ ଯୋଗେ ଉଲ୍ଲେଖ କରିଛନ୍ତି, ଆପଣ ଜାଣି ଖୁସି ହେବେ ଯେ ଆମେ ସରୋଗେସି ମାଧ୍ୟମରେ ଆମ ସନ୍ତାନକୁ ସ୍ୱାଗତ କରୁଛୁ । ଆମେ ଏହି କଥାକୁ ଗୋପନୀୟ ରଖିଥିଲୁ କାରଣ ସେହି ସମୟରେ ଆମେ ଆମ ପରିବାର ଉପରେ ଧ୍ୟାନ ଦେବାକୁ ଅଧିକ ଗୁରୁତ୍ୱ ଦେଇଥିଲୁ । ଏଥିପାଇଁ କହିଥିଲୁ କି ଠିକ୍ ସମୟ ଆସିଲେ ନିଶ୍ଚିତ ଜଣାଇବୁ । ଏବେ ସେହି ଖୁସିର ସମୟ ଆସିଛି । ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ । କିନ୍ତୁ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସ ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହାନ୍ତି ତାଙ୍କର ପୁଅ ହୋଇଛି ନା ଝିଅ ।
୨୦୧୮ରେ ୩୯ ବର୍ଷିୟ ପ୍ରିୟଙ୍କା ଚୋପ୍ରା, ୨୯ ବର୍ଷିୟ ଆମେରିକାନ ସିଙ୍ଗର ନିକ୍ ଜୋନସଙ୍କୁ ବିବାହ କରିଥିଲେ । ଏହି ଦୁଇ ସେଲିବ୍ରେଟି ରାଜସ୍ଥାନ ଯୋଧପୁରର ଉମ୍ମେଦ ଭବନ ପ୍ୟାଲେସରେ ହିନ୍ଦୁ ଓ ଇସାଇ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ବିବାହ ପାଖାପାଖି ଏକ ବର୍ଷ ପରେ ପ୍ରିୟଙ୍କାଙ୍କୁ ତାଙ୍କ ଶୁଭେଚ୍ଛୁମାନେ କେବେ ସନ୍ତାନ ହେବ ବୋଲି ପଚାରିବା ଆରମ୍ଭ କରିଥିଲେ । ତେବେ ବେଶ୍ କିଛି ଦିନ ଚୁପ୍ ରହିଥିଲେ ପ୍ରିୟଙ୍କା । ସବୁବେଳେ କିଛି ନା କିଛି ପ୍ରସଙ୍ଗ ଦେଖାଇ ଏହି ପ୍ରଶ୍ନକୁ ଏଡ଼ାଇ ଦେଉଥିଲେ । ମାତ୍ର ନିକଟରେ ଏକ ସାକ୍ଷାତକାରରେ ଏନେଇ ମୁହଁ ଖୋଲିଥିଲେ । ସେ କହିଥିଲେ, ଆମେ ସନ୍ତାନ ପାଇଁ ଇଚ୍ଛୁକ । ଭଗବାନ ଚାହିଁଲେ ଏହା ସମ୍ଭବ ହୋଇପାରିବ । ଆଉ ଏହାର ମାତ୍ର କିଛି ଦିନ ପରେ ପ୍ରିୟଙ୍କା ସନ୍ତାନ ହୋଇଥିବା ନେଇ ଖୁସି ଖବର ଦେଇଛନ୍ତି ।
Powered by Froala Editor