ଘୁଞ୍ଚିବନି ‘ଲାଲ ସିଂହ ଚଡ୍ଡା’ର ରିଲିଜ୍ ତାରିଖ
ମୁମ୍ବାଇ: ଫିଲ୍ମ ‘ଲାଲ୍ ସିଂହ ଚଡ୍ଡା’ର ରିଲିଜ୍ ତାରିଖ ଘୁଞ୍ଚିବନି । ପୂର୍ବରୁ ଘୋଷଣା କରାଯାଇଥିବା ତାରିଖରେ ଏହା ମୁକ୍ତିଲାଭ କରିବ । ଆସନ୍ତା ଏପ୍ରିଲ୍ ୧୪ରେ ଏହା ପ୍ରେକ୍ଷାଳୟକୁ ଆସିବ । ଏହା ଘୋଷଣା କରିଛନ୍ତି ବଲିଉଡ୍ ଅଭିନେତା ଅମିର୍ ଖାନ୍ ।
ଦେଶରେ ଏବେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚିପାରେ ବୋଲି ଚର୍ଚ୍ଚା ହେଉଥିଲା । କିଛି ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଥିଲା । ହେଲେ ଏହାକୁ ଖଣ୍ଡନ କରିଛନ୍ତି ଅମିର୍ । ସେ କହିଛନ୍ତି, ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ଫିଲ୍ମ ନିର୍ଦ୍ଧାରିତ ତାରିଖରେ ପରଦାକୁ ଆସିବ ।
‘ଲାଲ୍ ସିଂହ ଚଡ୍ଡା’ରେ ମୁଖ୍ୟ ଭୂମିକାରେ ଅମିର୍ଙ୍କ ସହିତ ରହିଛନ୍ତି କରୀନା କପୁର । ଏହି ଯୋଡ଼ିଙ୍କୁ ଦର୍ଶକ ତୃତୀୟ ଥର ପାଇଁ ପରଦାରେ ଏକାଠି ଦେଖିବାକୁ ପାଇବେ । ପୂର୍ବରୁ ଏହି ଯୋଡ଼ିଙ୍କୁ ଢେର୍ ସାରା ପ୍ରଶଂସା ମିଳିଛି । ତେଣୁ ଏଥର ବି ପୂର୍ବଭଳି ଭଲ ପାଇବା ମିଳିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ପ୍ରକାଶ କରାଯାଇଛି । ଫିଲ୍ମରେ ଅମିର୍ ଓ କରୀନାଙ୍କ ବ୍ୟତୀତ ବଲିଉଡ୍ର ଆହୁରି ବହୁ ନାମୀଦାମୀ କଳାକାର ଅଭିନୟ କରିଛନ୍ତି । ଏହା ହଲିଉଡ୍ କ୍ଲାସିକାଲ୍ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ଅଫିସିଆଲ୍ ହିନ୍ଦୀ ରିମେକ୍ ।
ସେପଟେ ସମାନ ତାରିଖରେ ମୁକ୍ତିଲାଭ କରିବ ‘କେଜିଏଫ୍ ଚାପ୍ଟର-୨’ । ଦୁଇଟି ଫିଲ୍ମ ଗୋଟିଏ ତାରିଖରେ ପରଦାକୁ ଆସୁଥିବାରୁ ଦର୍ଶକମାନେ ବେଶ୍ ଖୁସିବ୍ୟକ୍ତ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ବକ୍ସ ଅଫିସ୍ରେ କିଏ ବାଜିମାତ୍ କରୁଛି ।
Powered by Froala Editor