‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ମିଶିବ ‘ଅମର ଯବାନ ଜ୍ୟୋତି’
ଦିଲ୍ଲୀର ‘ଇଣ୍ଡିଆ ଗେଟ୍’ରେ ଥିବା ‘ଅମର ଯବାନ ଜ୍ୟୋତି’ର ଶିଖା ଲିଭିବ ନାହିଁ । ଏହା ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ ହେବ। ବିବାଦ ସୃଷ୍ଟି ହେବାପରେ ଏବେ ଏଭଳି ସ୍ପଷ୍ଟୀକରଣ ଦେଇଛି କେନ୍ଦ୍ର। ଅମର ଯବାନ ଜ୍ୟୋତିର ଏକ ଅଂଶକୁ ଜାତୀୟ ଯୁଦ୍ଧ ସ୍ମାରକୀ ପର୍ଯ୍ୟନ୍ତ ନିଆଯିବ। ଜାତୀୟ ଯୁଦ୍ଧ ସ୍ମାରକୀରେ ସବୁ ଭାରତୀୟ ସହିଦଙ୍କ ନାଁ ସ୍ଥାନ ପାଇଛି। ୧୯୭୧ ସମେତ ସବୁ ଯୁଦ୍ଧର ସହିଦଙ୍କ ନାଁ ଏଥିରେ ରହିଛି। ଏହା ହିଁ ସହିଦଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କେନ୍ଦ୍ର ସରକାର କହିଛନ୍ତି।
୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ସହିଦ ହୋଇଥିବା ଯବାନମାନଙ୍କ ସ୍ମୃତିରେ ପ୍ରଜ୍ଜ୍ବଳନ କରାଯାଇଥିବା ‘ଅମର ଯବାନ ଜ୍ୟୋତି’ର ଚିର ପ୍ରଜ୍ଜ୍ବଳିତ ଶିଖାକୁ ୫୦ ବର୍ଷ ପରେ ଅର୍ଥାତ୍ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଲିଭାଇ ଦିଆଯାଇ ନିକଟରେ ଥିବା ‘ଜାତୀୟ ଯୁଦ୍ଧ ସ୍ମାରକୀ’ ଶିଖାରେ ବିଲୁପ୍ତ କରାଯିବ ବୋଲି ଖବର ପ୍ରକାଶ ପାଇବା ପରେ ସରକାର ଏଭଳି ସ୍ପଷ୍ଟୀକରଣ ଦେଇଛନ୍ତି।
ସରକାର ବିରୋଧୀମାନଙ୍କୁ ସମାଲୋଚନା କରି କହିଛନ୍ତି, ଆମ ସହିଦମାନଙ୍କ ପ୍ରତି ଚିରନ୍ତନ ଏବଂ ସମୁଚ୍ଚିତ ଶ୍ରଦ୍ଧାଞ୍ଜଳି ଦିଆଯିବା ବେଳେ ୭ ଦଶନ୍ଧି ହେବ ‘ଜାତୀୟ ଯୁଦ୍ଧ ସ୍ମାରକୀ’ ନିର୍ମାଣ ନ କରିଥିବା ଲୋକେ ପାଟିତୁଣ୍ଡ କରିବା ବିଦ୍ରୂପ ନୁହେଁ ତ କ’ଣ?
ଅମର ଯବାନ ଜ୍ୟୋତିର ସ୍ଥାପନା ସେହି ଭାରତୀୟ ସୈନିକଙ୍କ ସ୍ମୃତିରେ କରାଯାଇଥିଲା ଯେଉଁମାନେ ୧୯୭୧ ଭାରତ-ପାକିସ୍ଥାନ ଯୁଦ୍ଧରେ ସହିଦ ହୋଇଥିଲେ। ଏହି ଯୁଦ୍ଧରେ ଭାରତର ବିଜୟ ହୋଇଥିଲା ଏବଂ ବାଙ୍ଗଲାଦେଶର ଗଠନ ହୋଇଥିଲା। ତତ୍ତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଜାନୁଆରୀ ୨୬, ୧୯୭୨ରେ ଅମର ଜ୍ୟୋତିର ଉଦ୍ଘାଟନ କରିଥିଲେ।
Powered by Froala Editor