ପୋଖରୀରେ ବୁଡ଼ିଗଲେ ଯାଆଁଳା ଭାଇ

ପୋଖରୀରେ ବୁଡ଼ି ୫ ବର୍ଷ ବୟସର ଦୁଇ ଯାଆଁଳା ଭାଇଙ୍କ ମୃତ୍ୟୁ ଘଟିଛି। ଏ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଳିଙ୍ଗରେ । ଦୁଇ ଯାଆଁଳା ଭାଇ ହେଲେ ମହାଳିଙ୍ଗ ଗାଁର ରୋହିତ ସାହୁଙ୍କ ଦୁଇ ପୁଅ ପୀୟୁଷ ଓ ଆୟୁଷ।
ଦୁଇ ପୁଅଙ୍କୁ ମଧ୍ୟାହ୍ନ ଭୋଜନ କରାଇବେ ବୋଲି ରୋଷେଇ କାମରେ ବ୍ୟସ୍ତ ଥିଲେ ମା’। ଘର ବାହାରେ ପିଲାମାନେ ଖେଳୁଥିବା ବେଳେ ବ୍ୟସ୍ତତା କାରଣରୁ ତାହା ସେ ଜାଣି ପାରି ନଥିଲେ। ସେମାନେ ଏହାରି ଭିତରେ ଘର ସାମ୍ନାରେ ଥିବା ପୋଖରୀକୁ ଚାଲିଯାଇଥିଲେ। ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ। ଜଣେ ବ୍ୟକ୍ତି ସେମାନଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ।
ଗୁରୁତର ପୀୟୁଷ ଓ ଆୟୁଷଙ୍କ ପ୍ରଥମେ ବୋରଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ପଠାଇ ଦେଇଥିଲେ। ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଭାଇଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁଇ ଦୁଇଟି ସନ୍ତାନକୁ ଏକାସାଙ୍ଗରେ ହରାଇ ବାପାମା’ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।
Powered by Froala Editor