ସତର୍କ ସୂଚନା ଦେଲା ଗୁଇନ୍ଦା ବିଭାଗ : ଗଣତନ୍ତ୍ର ଦିବସରେ ହୋଇପାରେ ଆତଙ୍କୀ ହାମ୍ଲା
ଜାନୁଆରି ୨୩ରୁ ଗଣତନ୍ତ୍ର ଦିବସ ପାଳନ ହେବା ନେଇ ସରକାର ଘୋଷଣା କରିଥିବା ବେଳେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେବେ। ତେବେ ପ୍ରସ୍ତୁତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଦଳକୁ ଏକ ଚିନ୍ତାଜନକ ଖବର ମିଳିଛି। ଗଣତନ୍ତ୍ର ଦିବସରେ ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଆକ୍ରମଣ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଗୁଇନ୍ଦା ସଂସ୍ଥା ଏକ ସତର୍କ ସୂଚନା ପାଇଛି।
ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ବିଭାଗ ସମ୍ଭାବ୍ୟ ଆତଙ୍କୀ ହମଲା ନେଇ ୯ ପୃଷ୍ଠାର ଗୋଟିଏ ସତର୍କ ସୂଚନା ଜାରି କରିଛି। ଏଥିରେ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ହମଲା କରିବାକୁ ଆତଙ୍କବାଦୀମାନେ ଯୋଜନା କରିଥିବା କୁହାଯାଇଛି। ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ କାଜାଖସ୍ତାନ, କିର୍ଗିଜସ୍ତାନ, ତାଜାକିସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନର ନେତାମାନଙ୍କୁ ମୁଖ୍ୟ ଅତିଥି ଭାବେ ଭାରତ ସରକାର ନିମନ୍ତ୍ରଣ କରିବେ। ତେଣୁ ସେହିଦିନ ହମଲା କରି ଆତଙ୍କ ସୃଷ୍ଟି କରିବାକୁ ମସୁଧା ହୋଇଛି।
ଏହି ଆତଙ୍କୀ ମସୁଧା ପଛରେ ଲସ୍କର, ଜୈଶ, ଦି ରେଜିଷ୍ଟାନ୍ସ ଫୋର୍ସ, ହରକତ ଉଲ ମୁଜାହିଦ୍ଦିନ ଓ ହିଜବୁଲ ମୁଜାହିଦ୍ଦିନ ଭଳି ସଂଗଠନର ହାତ ରହିଛି। ଏହାବାଦ ପାକିସ୍ତାନରେ ଅବସ୍ଥାପିତ ଖାଲିସ୍ତାନ ଗ୍ରୁପ୍ ମଧ୍ୟ ସେମାନଙ୍କ ସଦସ୍ୟମାନଙ୍କୁ ସକ୍ରିୟ କରିଛନ୍ତି। ସେମାନେ ପଞ୍ଜାବରେ ପୁଣି ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି କରିବାକୁ ଚାହୁଁଛନ୍ତି। ପଞ୍ଜାବ ଓ ନିର୍ବାଚନ ହେବାକୁ ଥିବା ରାଜ୍ୟରେ ହମଲା କରିବାକୁ ଖାଲିସ୍ତାନୀ ଆତଙ୍କୀ ସଂଗଠନ ଯୋଜନା କରିଥିବା ବିଭାଗ କହିଛି। ଡ୍ରୋନ ସାହାଯ୍ୟରେ ସେମାନେ ଆକ୍ରମଣ କରିପାରନ୍ତି ବୋଲି ଅାଶଙ୍କା କରାଯାଉଛି।
Powered by Froala Editor