ଘୁଞ୍ଚିଲା ପଞ୍ଜାବ ନିର୍ବାଚନ, ୧୪ ବଦଳରେ ୨୦ରେ ହେବ
ନୂଆଦିଲ୍ଲୀ: ରାଜନୈତିକ ମାହୋଲ ମଧ୍ୟରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଘୁଞ୍ଚିଲା ପଞ୍ଜାବ ନିର୍ବାଚନ । ଉଭୟ ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ବିଜେପି ପକ୍ଷରୁ ଦାବି ପରେ ପଞ୍ଜାବ ନିର୍ବାଚନ ଘୁଞ୍ଚିଲା । ନିର୍ବାଚନ କମିଶନ ନିର୍ବାଚନକୁ ଘୁଞ୍ଚାଇ ଦେଇଛନ୍ତି । ଫେବୃଆରୀ ୧୪ ତାରିଖରେ ହେବାକୁ ଥିବା ନିର୍ବାଚନକୁ ନିର୍ବାଚନ କମିଶନ ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ।
ପ୍ରକାଶ ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରେ ବିଜେପି ମଧ୍ୟ ସମାନ ଦାବି କରିଛି। ପଞ୍ଜାବ ବିଧାନସଭା ନିର୍ବାଚନକୁ ଘୁଞ୍ଚାଇବାକୁ ବିଜେପି ଦାବି କରିଥିଲା । ଫେବୃଆରୀ ୧୪ରେ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖିବାକୁ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ନିବେଦନ କରିଥିଲା । ନିର୍ବାଚନର ୨ ଦିନ ପରେ ଅର୍ଥାତ ଫେବୃଆରୀ ୧୬ରେ ଶ୍ରୀ ଗୁରୁ ରବିଦାସ ଜୟନ୍ତୀ ଥିବାରୁ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ବିଜେପି ନିବେଦନ କରିଥିଲା । କାରଣ ଉତ୍ତରପ୍ରଦେଶର ବାରାଣସିରେ ହେବାକୁ ଥିବା ଶ୍ରୀ ଗୁରୁ ରବିଦାଶଙ୍କ ଜୟନ୍ତୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଫେବୃଆରୀ ୧୦ରୁ ଭକ୍ତମାନଙ୍କ ଯାତ୍ରା ଆରମ୍ଭ ହୋଇ ଯିବ। ପ୍ରାୟ ୨୦ ଲକ୍ଷ ଦଳିତ ଭକ୍ତ ସେଠାକୁ ଯିବାର ସମ୍ଭାବନା ରହିଛି। ଫଳରେ ମତଦାନ ପ୍ରକ୍ରିୟାରେ ସେମାନେ ସାମିଲ ହୋଇପାରିବେ ନାହିଁ।
ନିର୍ବାଚନକୁ ଘୁଞ୍ଚାଇ ଦେଲେ ୨୦ ଲକ୍ଷ ଲୋକ ମତଦାନ କରିବାର ସୁଯୋଗ ପାଇବେ। ତେଣୁ ନିର୍ବାଚନ ତାରିଖକୁ ଅନ୍ତତଃପକ୍ଷେ ୬ ଦିନ ଘୁଞ୍ଚାବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଜଣାଇଥିଲେ । ଶନିବାର ନିର୍ବାଚନ ଆୟୋଗଙ୍କୁ ଲେଖିଥିବା ଚିଠିରେ ଚନ୍ନି କହିଥିଲେ, ତାଙ୍କୁ ଦଳିତ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିବାର ସୁଯୋଗ ଦିଆଯାଇଛି। ରାଜ୍ୟରେ ସେମାନଙ୍କ ସଂଖ୍ୟା ପ୍ରାୟ ୩୨ ପ୍ରତିଶତ। ଏହି ସମ୍ପ୍ରଦାୟ ୧୬ ଫେବ୍ରୁଆରୀରେ ଶ୍ରୀ ଗୁରୁ ରବିଦାସ ଜୟନ୍ତୀରେ ଅଂଶଗ୍ରହଣ କରିବାକୁ ଚାହୁଁଛି।ଏହି ଅବସରରେ, ଫେବ୍ରୁଆରୀ ୧୦ରୁ ଫେବ୍ରୁଆରୀ ୧୬ ମଧ୍ୟରେ ଉତ୍ତରପ୍ରଦେଶର ବନାରସରେ ପ୍ରାୟ ୨୦ଲକ୍ଷ ଦଳିତ ଭକ୍ତ ଯିବା ସମ୍ଭାବନା ରହିଛି।
Powered by Froala Editor