କୌଣସି ବ୍ୟକ୍ତିଙ୍କୁ ବାଧ୍ୟତାମୂଳକ ଭାବେ ଟିକା ଦିଆଯାଇପାରିବନି

କୌଣସି ବ୍ୟକ୍ତିଙ୍କର ଇଚ୍ଛା ବିରୋଧରେ ଟିକା ଦିଆଯାଇପାରିବ ନାହିଁ । ଏମିତିକି ତାଙ୍କୁ ବାଧ୍ୟ ମଧ୍ୟ କରାଯାଇପାରିବ ନାହିଁ । କୋଭିଡ୍ ଟିକାକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏହି ସତ୍ୟପାଠ ଦାଖଲ କରିଛନ୍ତି। କୋଭିଡ୍ ଟିକାକୁ ବାଧ୍ୟତାମୂଳକ କରାଯାଇ ନାହିଁ। କିନ୍ତୁ ବ୍ୟାପକ ଜନସ୍ୱାର୍ଥ୍ୟ ଦୃଷ୍ଟିରୁ କୋଭିଡ୍ ଟିକା ନେବା ଜରୁରୀ ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ଟିକାର ବେଶ ଗୁରୁତ୍ୱ ରହିଛି। ତେଣୁ ଟିକା ନେବା ପାଇଁ ସରକାର ବିଭିନ୍ନ ଫୋରମରେ ପରାମର୍ଶ ଦେବା ସହ ଗଣମାଧ୍ୟମରେ ବିଜ୍ଞାପନ ଦେଇ ସଚେତନ କରୁଛନ୍ତି ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି।
ଏନଜିଓ ଏଭାରା ଫାଉଣ୍ଡେସନର ଏକ ଆବେଦନର ଜବାବରେ କେନ୍ଦ୍ର ଏହାର ଆଫିଡେଭିଟ୍ ଦାଖଲ କରିଛି । ଏହି ଆବେଦନରେ ଭିନ୍ନକ୍ଷମ ମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ ପାଇଁ ଘରକୁ ଘର ବୁଲି ସେମାନଙ୍କ ଟିକାକରଣ କରିବାକୁ ଅନୁରୋଧ କରାଯାଇଥିଲା । ତେବେ ଦିବ୍ୟାଙ୍ଗ ମାନଙ୍କୁ ଟିକାକରଣ ପ୍ରମାଣପତ୍ର ଦେଖାଇବା ପ୍ରସଙ୍ଗରେ କେନ୍ଦ୍ର ସର୍ବୋଚ୍ଚ ନ୍ୟାୟାଳୟକୁ କହିଛି ଯେ, ଟିକାକରଣ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରିବା ନେଇ କୌଣସି ଏସଓପି ଜାରି କରାଯାଇନାହିଁ । ଯେକୌଣସି କ୍ଷେତ୍ର ପାଇଁ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କୋଭିଡ୍ ଟିକା ପ୍ରମାଣପତ୍ର ଦାଖଲ ଜରୁରୀ ନୁହଁ।
Powered by Froala Editor