କୁକୁର ଭୟରେ ନଦୀକୁ ଡେଇଁଲେ ବ୍ୟକ୍ତି
କୁକୁର ଭୟରେ ନଦୀକୁ ଡେଇଁ ନିଖୋଜ ହୋଇଯାଇଛନ୍ତି ବିହାର ଖଗରିଆ ଜିଲ୍ଲା ରାମଚନ୍ଦ୍ର ଗ୍ରାମର ବାସିନ୍ଦା ଇଶ୍ୱର ଯାଦବ । ଇଶ୍ୱରଙ୍କ ପୁଅ ଗୁଡ୍ଡୁ କୁମାର କହିଛନ୍ତି, ତାଙ୍କ ବାପା ଚାଷ ଜମିରେ କାମ କରୁଥିବାବେଳେ ପୁଲିସ ବିଭାଗର ଏକ ଦଳ ସନ୍ଧାନୀ କୁକୁର ଧରି ବେଆଇନ ମଦ ଠାବ କରିବାକୁ ସେଠାରେ ପହଞ୍ଚିଥିଲେ । ସେମାନେ କୁକୁରଙ୍କୁ ଖୋଲା ଛାଡିଦେଇଥିଲେ । କିନ୍ତୁ ଗୋଟିଏ କୁକୁର ଇଶ୍ୱରଙ୍କ ଆଡକୁ ଦୌଡି ଆସିଥିଲା । ଇଶ୍ୱର ଭୟରେ ଦୌଡିବା ସହିତ ନିକଟରେ ଥିବା ଗଣ୍ଡକ ନଦୀକୁ ଡେଇଁ ପଡିଥିଲେ । ଏବେ ସୁଦ୍ଧା ତାଙ୍କ ବାପାଙ୍କର କୌଣସି ସନ୍ଧାନ ମିଳିନଥିବା ଗୁଡ୍ଡୁ କୁମାର କହିଛନ୍ତି । ପୁଲିସ ବିଭାଗ ତାଙ୍କ ବାପାଙ୍କୁ ମାରିଦେଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।
ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ନଦୀରେ ଖୋଜାଖୋଜି କରାଯାଇଥିଲେ ସୁଦ୍ଧା ଇଶ୍ୱରଙ୍କ ସନ୍ଧାନ ମିଳିନାହିଁ । ଅନ୍ୟପକ୍ଷରେ ଜିଲା ଆରକ୍ଷୀ ଅଧିକ୍ଷକ ଅମିତେଶ କୁମାର କହିଛନ୍ତି, ଜିଲାରେ ସନ୍ଧାନୀ କୁକୁର ରହନ୍ତି ନାହିଁ । ସେମାନେ ତଦନ୍ତ ପାଇଁ ମୁଖ୍ୟ ଦପ୍ତରରୁ ସନ୍ଧାନୀ କୁକୁର ମଗାଇଥାନ୍ତି । ତେଣୁ କୁକୁର ଭୟରେ ଇଶ୍ୱରଙ୍କ ମୃତ୍ୟୁ ଘଟିଥିବା ସମ୍ପର୍କରେ ଗୁଡ୍ଡୁ କୁମାର ଯାହା ଅଭିଯୋଗ କରୁଛନ୍ତି, ସେଥିରେ ସତ୍ୟତା ନାହିଁ ।
Powered by Froala Editor