ଫୁଲ ମାର୍କେଟ ଓ କ୍ଷେତରୁ ବିସ୍ଫୋରକ ଉଦ୍ଧାର, ସର୍ଚ୍ଚ ଅପରେସନ ଜାରି
![ଫୁଲ ମାର୍କେଟ ଓ କ୍ଷେତରୁ ବିସ୍ଫୋରକ ଉଦ୍ଧାର, ସର୍ଚ୍ଚ ଅପରେସନ ଜାରି](https://odishanewslens.com/news_gallery/9826_1642161578.jpg)
ଦିଲ୍ଲୀର ସୀମାନ୍ତ ଗାଜିପୁର ଫୁଲ ମାର୍କେଟରୁ ଆଇଇଡି ଭର୍ତ୍ତି ବ୍ୟାଗ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି। ଏନଏସ୍ଜି କମାଣ୍ଡୋ ଓ ପୁଲିସ୍ ମିଳିତ ଭାବେ ଏହାକୁ ସତର୍କତାର ସହ ନଷ୍ଟ କରି ଦେଇଛନ୍ତି। ଆଜି ସକାଳ ପ୍ରାୟ ୧୦.୧୯ରେ ଫୁଲ ମାର୍କେଟରେ ଆଇଇଡି ରହିଥିବା ଖବର ମିଳିଥିଲା। ଏହାପରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଅଧିକାରୀ, ଏନଏସଜି କମାଣ୍ଡୋ, ଏନଏସଜିର ବୋମା ନିଷ୍କ୍ରିୟ ଟିମ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହାପରେ ଏନଏସଜିର ବୋମା ନିଷ୍କ୍ରିୟ ଟିମ ଏହାକୁ ଜବତ କରି ସୁରକ୍ଷିତ ଭାବେ ଅନ୍ୟ ଏକ ସ୍ଥାନକୁ ନେଇଥିଲା। ସେଠାରେ ଏହାକୁ ନିଷ୍ଟ କରି ଦିଆଯାଇଥିଲା।
ସେହିପରି ଶୁକ୍ରବାର ଶ୍ରୀନଗରର ନୋୱାଟା ଅଞ୍ଚଳର ଖୱାବାଜାର ଅଞ୍ଚଳରେ ମଧ୍ୟ ଏକ ସନ୍ଦିଗ୍ଧ ବ୍ୟାଗ ଦେଖିବାକୁ ମିଳିଛି । ଏଥିରେ ଏକ ପ୍ରେସର କୁକର ଏବଂ କିଛି ତାର ଦେଖାଯାଉଥିବାରୁ ଆଇଇଡି ଥିବାର ସନ୍ଦେହ କରି ବୋମା ନିରୋଧୀ ସ୍କ୍ୱାର୍ଡ଼କୁ ଡକାଯାଇଥିଲା । ତେବେ ପୁଲିସ ଅଧିକାରୀ କହିଛନ୍ତି ଯେ ଏହା ଆଇଇଡି କି ନୁହେଁ, ଏହାର ଅନୁସନ୍ଧାନ କରାଯାଉଛି। ଖାଲି ସେତିକି ନୁହେଁ ଅମୃତସରର ସୀମାନ୍ତ ଗାଁ ଧାନୋ କାଲାନରେ ବହୁ ପରିମାଣର ଆରଡିଏକ୍ସ ମଧ୍ୟ ମିଳିଛି।
ଉଦ୍ଧାର ହୋଇଥିବା ଏହି ବିସ୍ଫୋରକକୁ ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ବିସ୍ଫୋରଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ବୋଲି କୁହାଯାଉଛି । ଏହି ଆଇଇଡିକୁ ଗାଁର ମୁଖ୍ୟ ରାସ୍ତା ନିକଟରେ ଥିବା ଏକ କ୍ଷେତରେ ଲୁଚାଇ ରଖାଯାଇଥିଲା । ବିସ୍ଫୋରକ ଜବତ ହେବା ପରେ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଟିମ୍ ସମଗ୍ର ଗାଁରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।
Powered by Froala Editor