ସାଲ୍ୟୁଟ୍ ଯବାନ: ବରଫ ରାସ୍ତାରେ ଚାଲି ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ
ଜମ୍ମୁ କଶ୍ମୀର: ରାସ୍ତା ସାରା ଆଚ୍ଛାଦିତ ଥିଲା ବରଫ । କେଉଁଠି ଆଣ୍ଠୁଏ ତ ଆଉ କେଉଁଠି ଅଣ୍ଟେ । ପୁଣି ମଝିରେ ମଝିରେ ହେଉଥିଲା ବରଫ ବର୍ଷା । ଗାଡ଼ି ମୋଟର ଯାତାୟାତ ପୂରା ଠପ୍ ହୋଇଯାଇଥିଲା । ପରିସ୍ଥିତି ଏଭଳି ଥିଲା ଯେ ଲୋକମାନେ ଘରୁ ବାହାରିବା ମୁସ୍କିଲ୍ ହୋଇଯାଇଥିଲା । ହେଲେ ଭାରତୀୟ ଯବାନମାନେ ଦେଶର ସୁରକ୍ଷା ପାଇଁ ପ୍ରହରା ଦେଉଥିଲେ । ଏହି ସମୟରେ ଆସିଲା ଏକ ଫୋନ୍ କଲ୍ । ଜଣେ ମହିଳା ପ୍ରସବ ବେଦନା ପାଉଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ପହଞ୍ଚାଇବାକୁ ପରିବାର ଲୋକେ ନେହୁରା ହୋଇଥିଲେ । ଆଉ ଏହା ଶୁଣିବା ମାତ୍ରେ ତୁରନ୍ତ ଯବାନମାନେ ପହଞ୍ଚି ଥିଲେ । ମହିଳାଙ୍କୁ କାନ୍ଧରେ ବୋହି ଡାକ୍ତରଖାନାରେ ପହଞ୍ଚାଇଥିଲେ । ଜମ୍ମୁ କଶ୍ମୀରର ଏହି ଘଟଣା ଏବେ ଭିଡିଓ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି । ଅନେକ ଲୋକେ ଭାରତୀୟ ଯବାନଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିବା ସହିତ ସାଲ୍ୟୁଟ୍ ମାରୁଛନ୍ତି ।
ଏଲଓସି ନିକଟରେ ଥିବା ବୋନିୟର ତହସିଲର ଗାଗର ହିଲ୍ ଗାଁରୁ ଜାନୁଆରୀ ୮ତାରିଖ ଦିନ ସକାଳ ୧୦.୩୦କୁ ସେନା ଅଫିସ୍କୁ ଏକ ଫୋନ୍ କଲ୍ ଆସିଥିଲା । ଗାଁ ଲୋକେ ଜଣେ ଗର୍ଭବତୀଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ । ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିଲା । ଏହା ଜାଣିବା ପରେ ବୀର ଦର୍ପରେ ବାହାରି ପଡ଼ିଥିଲେ ଯବାନମାନେ । ତୁରନ୍ତ ସେମାନେ ମହିଳାଙ୍କ ଘରେ ପହଞ୍ଚି ଥିଲେ । ଏକ ଷ୍ଟ୍ରେଚରରେ ମହିଳାଙ୍କୁ କାନ୍ଧରେ ବୋହି ଚାଲିବା ଆରମ୍ଭ କରିଥିଲେ । ଗାଁ ଠାରୁ ୬.୫ କିଲୋମିଟର ଦୂର ବରଫ ଆଚ୍ଛାଦିତ ରାସ୍ତାରେ ୩ ଘଣ୍ଟା ଚାଲିବା ପରେ ମହିଳାଙ୍କୁ ଏକ ଜନ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇ ଥିଲେ । ସେଠାରେ ମହିଳାଙ୍କ ପ୍ରସବ କରାଯାଇଥିଲା । ଯବାନଙ୍କ ଏହି କାମ ପାଇଁ ଭାରତୀୟ ଯବାନମାନଙ୍କୁ ଏବେ ସବୁ ମହଲରେ ଭୁରି ଭୁରି ପ୍ରଶଂସା କରାଯାଉଛି ।
Powered by Froala Editor