ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ : ଫ୍ରଣ୍ଟଲାଇନ ଓ୍ୱାର୍କରଙ୍କୁ ତୁରନ୍ତ ବୁଷ୍ଟର ଡୋଜ୍ ଦେବାକୁ ପ୍ରସ୍ତୁତି

କରୋନା ସଂକ୍ରମଣ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ସଭା ଅନୁଷ୍ଠିତ ହେଉଛି। ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ, କ୍ୟାବିନେଟ ସଚିବ ରାଜୀବ ଗାବା, ଗୃହ ସଚିବ ଅଜୟ ଭଲ୍ଲା, ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଆଇସିଏମଆର ଡିଜି ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ଦେଶରେ ସମ୍ପ୍ରତି ସୃଷ୍ଟି ହୋଇଥିବା ତୃତୀୟ ଲହରରୁ ଦେଶକୁ ମୁକୁଳାଇବା ପାଇଁ ବୈଠକରେ ଆଲୋଚନା ହୋଇଛି ।
ସେହିପରି କିଶୋରଙ୍କ ଟିକାକରଣ ତ୍ୱରାନ୍ୱିତ କରିବା ସହ ଫ୍ରଣ୍ଟଲାଇନ ଓ୍ୱାର୍କରଙ୍କୁ ତୁରନ୍ତ ବୁଷ୍ଟର ଡୋଜ୍ ଦେବାକୁ ଗୁରୁତ୍ୱ ଦିଆଯାଇଛି । ଆସନ୍ତାକାଲି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆଲୋଚନା କରିବେ ।
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଶହ ପାର୍ କରିଛି । ଦିଲ୍ଲୀ, ୟୁପି, ତାମିଲନାଡୁ, ମହାରାଷ୍ଟ୍ର, କର୍ଣ୍ଣାଟକରେ ସଂକ୍ରମଣ ରକେଟ୍ ବେଗରେ ବଢ଼ୁଥିବା ବେଳେ ଏବେ ଦେଶରେ ଦୈନିକ ପଜିଟିଭିଟି ରେଟ୍ ୧୦ପ୍ରତିଶତ ଉପରେ ରହିଛି । ଜାନୁଆରୀ ଶେଷ ସୁଦ୍ଧା ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି ।
Powered by Froala Editor