ସ୍କୁଲ ଓ କଲେଜରେ ପିକନିକ୍ ବନ୍ଦ, ବିବାହରେ ୧୦୦ ଜଣଙ୍କୁ ଅନୁମତି
ଓମିକ୍ରନ୍ ସଂକ୍ରମଣ ବଢି ଚାଲିଥିବା ବେଳେ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ଆସନ୍ତା ୭ ତାରିଖରୁ ଜାରି ହେବ ଗାଇଡଲାଇନ । ସହରାଞ୍ଚଳରେ କର୍ଫ୍ୟୁ ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରେ ଲାଗୁ କରାଯିବ । କଟକଣା ସମୟରେ ଅତ୍ୟାବଶକୀୟ ସୁବିଧା ପୂର୍ବପରି ଉପଲବ୍ଧ ରହିବ । ଜାନୁଆରୀ ମାସରେ ଦଶମ ଶ୍ରେଣୀ ଆସେସମେଣ୍ଟ ପରୀକ୍ଷା ଜାରି ରହିବ । ସେପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଅଫଲାଇନ କ୍ଲାସ ବନ୍ଦ ରହିବ । ଏହି ସମୟରେ କେବଳ ଡାଉଟ କ୍ଲିଅର କ୍ଲାସ ମଧ୍ୟ ଜାରି ରହିବ । ଅଭିଭାବକ ମାନଙ୍କ ପରାମର୍ଶ କ୍ରମେ ଡାଉଟକ୍ଲିଅର କ୍ଲାସ କାର୍ଯ୍ୟକ୍ରମ କରାଯିବ ।
ସେପଟେ ସକାଳ ୫ଟା ରୁ ରାତ୍ରି ୯ଟା ପର୍ଯ୍ୟନ୍ତ ଦୋକାନ, ବଜାର, ହାଟ ଆଦି ଖୋଲା ରହିବ । କିନ୍ତୁ ୫୦ ପ୍ରତିଶତ ଲୋକରେ ସଂଖ୍ୟା ସିମୀତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏସଆରସି କହିଛନ୍ତି ହାଟ, ବଜାରରେ ଜମୁଥିବା ଭିଡ଼କୁ ହ୍ରାସ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ଦାୟିତ୍ୱ ଦିଆଯିବ। ଯଦି କୌଣସି ମଲରେ ଭିଡ଼ ହେବ, ତାହେଲେ ଏଥିପାଇଁ ଦୋକାନ ମାଲିକ ଦାୟୀ ହେବେ। ଆଉ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଦୋକାନକୁ ୭ ଦିନ ଯାଏ ବନ୍ଦ କରାଯିବ । ସେହିପରି ରାଜନୈତିକ, ଶୈକ୍ଷିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ଦିଆଯାଇଛି। ଇଣ୍ଡୋର ହଲରେ କୌଣସି କାର୍ଯ୍ୟକ୍ରମ ହେଉଥିଲେ, ସେଥିରେ ୫୦% ଉପସ୍ଥିତ ରହିପାରିବେ। ପର୍ଯ୍ୟଟନ ସ୍ଥାନ ଗୁଡ଼ିକରେ ପିକନିକକୁ ସଂପୂର୍ଣ୍ଣ ବାରଣ କରାଯାଇଛି।
ହୋଟେଲ ଓ ପାର୍କରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଯାଇଛି। ସ୍କୁଲ କିମ୍ବା କଲେଜର ପିକନିକ୍, ଏସକର୍ସନ ସଂପୂର୍ଣ୍ଣ ଭାବେ ବାରଣ କରାଯାଇଛି। ନନ୍ଦନକାନନ ଆଦି ସ୍ଥାନରେ ଟିକେଟ୍ ପାଇଁ କ୍ୟୁରେ ରହିବାକୁ ପଡ଼ିବ। ହୋଟେଲ, ବାର୍ ରାତି ୯ଟା ଯାଏ ଖୋଲା ରହିବ। ତେବେ ଏହାକୁ ୫୦% କ୍ଷମତାରେ ଚଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ରାସ୍ତାକଡ଼ ଦୋକାନ ୯ଟା ଯାଏ ଖୋଲିବ। ସର୍ବାଧିକ ୫ ଜଣ ଗ୍ରାହକ ରହିବେ ବୋଲି ଏସଆରସି କହିଛନ୍ତି। ସେହିପରି ଯାତ୍ରା ୧ହଜାର ଦର୍ଶକଙ୍କୁ ନେଇ ଚାଲିବ। ତେବେ ଏହି ସମୟରେ ଯାତ୍ରା ମାଲିକମାନଙ୍କୁ ନିୟମର କଡ଼ା ପାଳନ କରିବାକୁ ପଡ଼ିବ। ସିନେମା ହଲ୍ ଗୁଡ଼ିକ ୫୦% ସିଟ୍ କ୍ଷମତାରେ ଚାଲିପାରିବ।
ତେବେ ଗାଇଡଲାଇନରେ ବାହାଘରକୁ ନେଇ ନୂଆ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ବିବାହ ଉତ୍ସବରେ ମାତ୍ର ୧୦୦ ଜଣଙ୍କୁ ଅନୁମତି ରହିଛି । ୩୦ ଜଣ ବରଯାତ୍ରୀଙ୍କୁ ମଧ୍ୟ ମିଳିଛି ଅନୁମତି । ଅନ୍ତେଷ୍ଟି କାର୍ଯ୍ୟରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ଦିଆଯାଇଛି । କଟକଣାରେ ଇନଡୋର ଏବଂ ଆଉଟଡୋର ଫିଲ୍ମ ସୁଟିଂ ହୋଇପାରିବ । ୫୦ ଜଣ ଲୋକଙ୍କୁ ନେଇ ସୁଟିଂ କରିବାକୁ ଅନୁମତି ଦିଆଯାଇଛି ।
Powered by Froala Editor