ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୩୮କୁ ବୃଦ୍ଧି
ନୂଆଦିଲ୍ଲୀ:ଦେଶରେ ଆତଙ୍କ ଖେଳାଇଲାଣି ଓମିକ୍ରନ । ଦିନକୁ ଦିନ ହୁ ହୁ ହୋଇଛି ମାଡି ଚାଲିଛି ନୂଆ ଭାରିଆଣ୍ଟ । ଇତିମଧ୍ୟରେ ଉତ୍ତରାଖଣ୍ଡରେ ରାଜ୍ୟର ପ୍ରଥମ ଓମିକ୍ରନ ମାମଲା ପ୍ରକାଶ ପାଇଛି । ସେହିପରି ବୁଧବାର ଗୋଟିଏ ଦିନରେ ତେଲେଙ୍ଗାନାରୁ ୧୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗୁଜୁରାଟରୁ ୫, କେରଳରୁ ୯ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୩୮କୁ ବୃଦ୍ଧି ପାଇଛି ।
ଓମିକ୍ରନ ଅଧିକ ସଂକ୍ରାମକ ଅଟେ । ତେଣୁ ଏହାରୁ ମୁକାବିଲା ପାଇଁ ଆବଶ୍ୟକସ୍ଥଳେ ୱାର ରୁମ୍ ଏବଂ ସ୍ଥାନୀୟ କଣ୍ଟେନମେଣ୍ଟ ଭଳି ପଦକ୍ଷେପ ନେବାକୁ କେନ୍ଦ୍ର ପକ୍ଷରୁ ପ୍ରଭାବିତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ କୁହାଯାଇଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଦେଶର ବିଭିନ୍ନ ଅଞ୍ଚଳରେ କଣ୍ଟେନମେଣ୍ଟ ଫେରିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାର୍ଟି ଉପରେ କଟକଣା ଲଗାଯାଇଛି । ସମସ୍ତ ସାଂସ୍କୃତିକ କାର୍ୟ୍ୟକ୍ରମ ବନ୍ଦ କରାଯିବା ସହ ଭିଡରୁ ଦୂରେଇ ରଖିବା ପାଇଁ ସରକାର ଗାଇଡଲାଇନ ଜାରି କରିଛନ୍ତି । ହରିୟାଣା ସରକାର ମଧ୍ୟ ରାଜ୍ୟରେ ବିଭିନ୍ନ ସପିଂ ମଲ, ହୋଟେଲ, ରେସ୍ତୋରାଁ, ବିବାହ, ସିନେମା ହଲ, ବ୍ୟାଙ୍କ ଏବଂ ଅନ୍ୟ ଭିଡ ସ୍ଥାନରେ ଉଭୟ ଡୋଜ ଟିକା ନେଇନଥିବା ବ୍ୟକ୍ତିଙ୍କ ପ୍ରବେଶକୁ ବାରଣ କରିଛନ୍ତି ।ଏବେ ସୁଦ୍ଧା ଏହି ନୂଆ ଭାଇରସ ୧୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରବେଶ କରିସାରିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମୋଟ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୯୦ ଜଣ ଆକ୍ରାନ୍ତ ହୁଏତ ସୁସ୍ଥ ହୋଇସାରିଛନ୍ତି ନଚେତ୍ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଛନ୍ତି । ପ୍ରତିଦିନ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଡେଇଁ ଚାଲିଛି ଓମିକ୍ରନ ।
Powered by Froala Editor