ଦିନକ ଆଗରୁ ସରିଲା ସଂସଦ ଶୀତ ଅଧିବେଶନ

ଗୋଟିଏ ଦିନ ଆଗରୁ ସଂସଦର ଶୀତ ଅଧିବେଶନ ଶେଷ ହେଇଛି। ଶେଷ ଦିନରେ ସଂସଦରେ ଅନେକ ଆଲୋଚନା ଏବଂ ପ୍ରଶ୍ନର ଉତ୍ତର ଦିଆଯିବାର ଥିଲା। କିନ୍ତୁ ଲୋକସଭା ଓ ରାଜ୍ୟସଭାରେ ଗୃହକାର୍ଯ୍ୟ ଆରମ୍ଭ ହୋଇନଥିଲା। ବାଚସ୍ପତି ଓମ ବିର୍ଲା ଲୋକସଭାରେ ଶୀତ ଅଧିବେଶନ ବିଷୟରେ ବିସ୍ତୃତ ସୂଚନା ଦେବା ସହ ଉତ୍ତେଜନା ହେତୁ ସଂସଦର୧୮ଘଣ୍ଟା ୪୮ମିନିଟ୍ ନଷ୍ଟ ହୋଇଥିବା କହିଥିଲେ। ଅନ୍ୟପକ୍ଷରେ ରାଜ୍ୟସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଭେଙ୍କୟା ନାଇଡୁ ଗୃହକାର୍ଯ୍ୟ ବନ୍ଦ କରିଥିଲେ। ବନ୍ଦେ ମାତାରାମଙ୍କ ପରେ ଉଭୟ ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା।
ମଙ୍ଗଳବାର ସୁଦ୍ଧା ସଂସଦରେ ମୋଟ ୧୨ଟି ବିଲ୍ ଉପସ୍ଥାପନ କରାଯାଇଥିଲା। ପୂରା ଅଧିବେଶନରେ ୧୦ଟି ବିଲ୍ ପାରିତ ହୋଇଛି। ଏହା ମଧ୍ୟରେ ପୂର୍ବ ଅଧିବେଶନରେ ଉପସ୍ଥାପିତ ହୋଇଥିବା ଦୁଇଟି ବିଲ୍ ରହିଛି। ୧୦ଟି ବିଲ୍ ପାସ ହୋଇଥିଲେ ମଧ୍ୟ ଏହା ଉପରେ ବହୁତ କମ ସମୟ ଧରି ଆଲୋଚନା ହୋଇଥିବା ସଂସଦ ପକ୍ଷରୁ ମିଳିଥିବା ସୂଚନାରୁ ସ୍ପଷ୍ଟ ହୋଇଛି। ଲୋକସଭାରେ କୃଷି ଆଇନ ପ୍ରତ୍ୟାହାର ପାଇଁ ଆସିଥିବା ବିଲ୍ କେବଳ ୨ ମିନିଟ୍ ଭିତରେ ପାସ୍ ହୋଇଥିଲା। ସେହିପରି ରାଜ୍ୟସଭାରେ ଏଥିପାଇଁ ୮ ମିନିଟ୍ ସମୟ ଲାଗିଥିଲା।
ପାରିତ ହୋଇଥିବା ବିଲ୍ ମଧ୍ୟରେ କୃଷି ଆଇନ ରଦ୍ଦ ବିଲ୍ ୨୦୨୧, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ସଂଶୋଧନ) ବିଲ୍ ୨୦୨୧, କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ସଂଶୋଧନ ବିଲ୍ ୨୦୨୧, ଦିଲ୍ଲୀ ସ୍ୱତନ୍ତ୍ର ପୁଲିସ୍ ପ୍ରତିଷ୍ଠା ସଂଶୋଧନ ବିଲ୍ ୨୦୨୧, ନିର୍ବାଚନ ଆଇନ ସଂଶୋଧନ ବିଲ୍ ୨୦୨୧ ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଶୀତ ଅଧିବେଶନ ସମୟରେ ଲୋକସଭାରେ ବିଭିନ୍ନ ବିଧେକୟ ଉପରେ କେବଳ ୨୬.୫ ଘଣ୍ଟା ଆଲୋଚନା ହୋଇଥିଲା। ସେହିପରି ୩୭ ଘଣ୍ଟାରୁ ଅଧିକ ସମୟ ଅଣ ବିଧେୟକ କାର୍ଯ୍ୟ ଉପରେ ଆଲୋଚନା ହୋଇଛି। ରାଜ୍ୟସଭାରେ ମୋଟ ୨୧.୭ ଘଣ୍ଟା ପାଇଁ ବିଭିନ୍ନ ବିଧେୟକ ଉପରେ ଆଲୋଚନା ହୋଇଥିବା ବେଳେ ଗୃହ ମୋଟ ୪୫.୪ ଘଣ୍ଟା ଧରି କାର୍ଯ୍ୟ କରିଥିଲା।
Powered by Froala Editor