କୁନି ଝିଅକୁ ଧରିଥିଲା ବାପା, ମାନବିକତା ଭୂଲି ପିଟି ଚାଲିଲା ପୋଲିସ
ଉତ୍ତରପ୍ରଦେଶର କାନପୁରର ଦୋହାତର ଅକବରପୁରରେ ସୀମା ଟପିଛି ପୋଲିସର ବର୍ବରତା । କାଖରେ ନିଜ ଝିଅକୁ ଧରିଥିବା ପୁନିତ ଶୁକ୍ଳାଙ୍କୁ ଅକବରପୁର ଥାନାର SHO ବିନୋଦ କୁମାର ମିଶ୍ର ଅତି ବର୍ବରତାର ସହ ମାଡ଼ ମାରୁଥିବା ଦୃଶ୍ୟ ସମସ୍ତଙ୍କୁ ବିବ୍ରତ କରୁଛି । ଏହି ଭିଡିଓ ଭାଇରାଲ ହେବା ପରେ SHO ବିନୋଦ କୁମାର ମିଶ୍ରକୁ ସସପେଣ୍ଡ କରାଯାଇଛି ।
୫୦ ସେକେଣ୍ଡର ଏହି ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ପୋଲିସ୍ ଗାଡି ଠିଆ ହୋଇଛି ଏବଂ ସେଠାରେ ଜଣେ ବ୍ୟକ୍ତିଙ୍କୁ ମାଡ ମରାଯାଉଛି । ସେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛି । କିନ୍ତୁ ପୋଲିସ ଦୌଡି ଦୌଡି ତାଙ୍କୁ ପିଟି ଚାଲିଛି । ଭିଡିଓ ଭାଇରାଲ ହେବା ପରେ ବର୍ତ୍ତମାନ ପୋଲିସ ଏହି ଘଟଣାର ସ୍ପଷ୍ଟୀକରଣ ଦେଇଛି । ପୋଲିସ କହିଛି ଯେ ରଜନୀଶ ଶୁକ୍ଲା ନାମକ ଜଣେ ବ୍ୟକ୍ତି ଡାକ୍ତରଖାନାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଭିଡିଓରେ ଦେଖାଯାଇଥିବା ପୁନିତ ଶୁକ୍ଳା ହେଉଛନ୍ତି ରଜନୀଶଙ୍କ ଭାଇ । ପୋଲିସର କହିବାନୁସାରେ, ବାରମ୍ବାର ବୁଝାଇବା ପରେ ସେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ । ସେଥିପାଇଁ ଆମେ ଏମିତି ଆକ୍ସନ ନେବାକୁ ବାଧ୍ୟ ହୋଇଥିଲୁ ।
ପୋଲିସ କହିଛି ଯେ ଡିଏମ ଏବଂ ସିଏମଓ ମଧ୍ୟ ଘଟଣାସ୍ଥଳରେ ଥିଲେ । ଦୁହେଁ ତାଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ରାଜି ହୋଇନଥିଲେ । ପ୍ରଶାସନ ଅଭିଯୋଗ କରିଛି ଯେ ଡାକ୍ତରଖାନା ଏମାନେ ବହୁତ ସମସ୍ୟା କରୁଥିଲେ । ଯେଉଁଥିପାଇଁ ରୋଗୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏଭଳି ପରିସ୍ଥିତିରେ ସେମାନଙ୍କୁ ହଟାଇବା ପ୍ରଶାସନ ଏବଂ ପୋଲିସର ଦାୟିତ୍ୱ ଥିଲା ।
Powered by Froala Editor