ଓମିକ୍ରନ୍ ପାଇଁ ସୁରକ୍ଷା କବଚ ମାସ୍କ: ବିଶେଷଜ୍ଞ
ନୂଆଦିଲ୍ଲୀ: ଓମିକ୍ରନ୍କୁ ନେଇ ଏବେ ସମସ୍ତେ ଚିନ୍ତାରେ । ବିଶ୍ୱରେ କରୋନା ସଂକ୍ରମଣ ସାମାନ୍ୟ କମି ଆସିବା ବେଳକୁ ଏହି ନୂଆ ଭାରିଏଣ୍ଟ ଏବେ ପୁଣି କାୟା ମେଲାଇବାରେ ଲାଗିଛି । ଖୁବ୍ଶୀଘ୍ର ଗୋଟିଏ ପରେ ଗୋଟେ ଦେଶକୁ ବ୍ୟାପୁଛି । ଯାହାକି ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏଭଳି ପରିସ୍ଥିତିରେ ବିଶେଷଜ୍ଞମାନେ ଏବେ ଏଥିରୁ ବର୍ତ୍ତିବାକୁ ସରଳ ଉପାୟ ପାଇଛନ୍ତି । ଯେଉଁମାନେ ସଠିକ୍ ଭାବେ ମାସ୍କ ପିନ୍ଧୁଛନ୍ତି ସେମାନଙ୍କୁ ଓମିକ୍ରନ୍ ସହଜରେ ଆକ୍ରାନ୍ତ କରିପାରୁନି । ନିକଟରେ କରାଯାଇଥିବା ଏକ ଅନୁସନ୍ଧାନରୁ ଏହା ଜଣାପଡ଼ିଛି । ତେଣୁ ମାସ୍କ ହିଁ ଏକ ମାତ୍ର ସୁରକ୍ଷା କବଚ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।
ରିସର୍ଚ୍ଚରୁ ଜଣାପଡିଛି, ମାସ୍କ ପିନ୍ଧିବା ଦ୍ୱାରା ଓମିକ୍ରନ୍ ସଂକ୍ରମଣ ଆଶଂକା କମ୍ । ପରସ୍ପର ମଧ୍ୟରେ ୩ମିଟର ଦୂରତା ରକ୍ଷା କରିବା ଅପେକ୍ଷା ୨୨୫ ଗୁଣା ପ୍ରଭାବି ସାଜିଛି ମାସ୍କ । ଅର୍ଥାତ୍ ଯଦି ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ପାଖରେ ଆଉ ଜଣେ ଭଲ ବ୍ୟକ୍ତି ୫ ମିଟରେ ଦୂରରେ ଛିଡା ହୁଅନ୍ତି ତେବେ ୯୦ ପ୍ରତିଶତ ସଂକ୍ରମଣ ଆଶଙ୍କା ରହୁଛି । କିନ୍ତୁ ସେଠାରେ ଯଦି ଜଣେ ସର୍ଜିକାଲ ମାସ୍କ ପିନ୍ଧା ବ୍ୟକ୍ତି ଛିଡା ହୁଅନ୍ତି ତେବେ ସଂକ୍ରମଣ ଆଶଙ୍କ ଖୁବ୍ କମ୍ ହୋଇଯାଉଛି ।
କେବଳ ମାସ୍କ ପିନ୍ଧି ଦେଲେ ହେବ ନାହିଁ, ଭଲ ଫିଟିଙ୍ଗ୍ ଏବଂ ଟାଇଟ୍ ମାସ୍କ ପିନ୍ଧିବା ଜରୁରୀ । ସର୍ଜିକାଲ, ଏନ୍-୯୫ ମାସ୍କ ଏବଂ ଏଫ୍.ଏଫ୍.ପି-୨ ଭଳି ମାସ୍କ ପରିଧାନ କଲେ ୧.୫ ମିଟର ଦୂରତାରେ ୨୦ ମିନିଟ୍ ମଧ୍ୟରେ ପ୍ରତି ଏକ ହଜାର ଜଣରେ ଜଣେ ସଂକ୍ରମିତ ହେବାର ଆଶଙ୍କା ରହିଥାଏ ବୋଲି ରିସର୍ଚ୍ଚରୁ ଜଣାପଡିଛି ।
ଏଥିସହ ଟିକାକରଣ ଉପରେ ମଧ୍ୟ ଡାକ୍ତର ଓ ବିଶେଷଜ୍ଞମାନେ ଗୁରୁତ୍ୱ ଦେଇଛନ୍ତି । ବାହାରକୁ ଗଲେ ସବୁବେଳେ ମାସ୍କ ପରିଧାନ କରିବାକୁ କୁହାଯାଇଛି । ସେହିଭଳି ଯଥା ସମ୍ଭବ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦିଆଯାଇଛି ।
Powered by Froala Editor