ବାତ୍ୟା: ଓଡ଼ିଶା ଉପକୂଳରେ ମାଡ଼ ହେବା ଆଶଙ୍କା ଅଧିକ
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଜୱାଦ୍’ର ଗତିପଥ ଏବେ ବି ସ୍ପଷ୍ଟ ହୋଇନାହିଁ । ଏହା ଆସନ୍ତା ୪ ତାରିଖ ସକାଳେ ଉପକୂଳ ଛୁଇଁବ ନା ରାତିରେ, ଏ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରିଛନ୍ତି । ମାତ୍ର ସମ୍ଭାବ୍ୟ ବାତ୍ୟାର ଗତିପଥ ନେଇ ବର୍ତ୍ତମାନ ସୁଦ୍ଧା ଯେତିକି ପୂର୍ବାନୁମାନ ହେଲାଣି, ସେଥିରୁ ଜଣାପଡ଼ୁଛି ଏହା ଓଡ଼ିଶା ଉପକୂଳରେ ମାଡ଼ ହେବା ଆଶଙ୍କା ଅଧିକ ।ଶୁକ୍ରବାର ମଧ୍ୟରାତ୍ରିରୁ ହିଁ ଓଡ଼ିଶାରେ ପ୍ରକୋପ ଦେଖାଇବ ଏ ବାତ୍ୟା।
ଲଘୁଚାପ ଏବେ ଆଣ୍ଡାମାନ ସାଗରରେ ଅଛି । ଗୁରୁବାର ସକାଳକୁ ଅବପାତ (ଡିପ୍ରେସନ) ରୂପ ନେଇଯିବ । ଅଧିକ ଘନୀଭୂତ ହୋଇ ଶୁକ୍ରବାରକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହୋଇଯିବ । ୪ ତାରିଖ ସକାଳ ବେଳକୁ ବାତ୍ୟା ଆହୁରି ଅଧିକ ଶକ୍ତିଶାଳୀ ରୂପ ନେଇ ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ପାଖରେ ଥିବା ଅନୁମାନ କରାଯାଉଛି ।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ଅଧିକାଂଶ ମଡେଲ ଆକଳନ କରୁଛନ୍ତି, ସମ୍ଭାବ୍ୟ ବାତ୍ୟା ଶନିବାର ସନ୍ଧ୍ୟା ସାଢ଼େ ୫ଟାରୁ ରବିବାର ଭୋର ସାଢ଼େ ୫ଟା ଭିତରେ ଉତ୍ତର ଆନ୍ଧ୍ର ଉପକୂଳରୁ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ହିଁ ସ୍ଥଳଭାଗରେ ମାଡ଼ ହୋଇପାରେ ।
ମାତ୍ର ଆଇଏମ୍ଡିର ଏନସିଇପି ମଡେଲ କହୁଛି, ଶନିବାର ସକାଳ ପ୍ରାୟ ସାଢ଼େ ୫ଟାବେଳେ ବାତ୍ୟା ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳରେ ଘଷି ହୋଇ ତା’ର ପ୍ରକୋପ ଦେଖାଉଥିବ ।ଆଇଏମଡିର ଏମ୍ଏମ୍ଇ ମଡେଲ୍ ଆକଳନ ହେଲା, ଶନିବାର ସକାଳେ ହିଁ ସମ୍ଭାବ୍ୟ ବାତ୍ୟା ଉପକୂଳରେ ମାଡ଼ ହୋଇପାରେ । ସେତେବେଳକୁ ତାହା ଭୀଷଣ ବାତ୍ୟା ଅବସ୍ଥାରେ ରହିବା ଅନୁମାନ କରାଯାଉଛି ।
ତେବେ ଆଇଏମ୍ଡିର ପ୍ରାୟତଃ ମଡେଲ ଆକଳନ କରିଛନ୍ତି, ସମ୍ଭାବ୍ୟ ବାତ୍ୟା ପ୍ରଥମେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା ଅଧିକ । ମାତ୍ର ୪ତାରିଖ (ଶନିବାର) ସକାଳେ ଉପକୂଳ ପାଖାପାଖି ହେଲାବେଳକୁ ଏହା ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବକୁ ମୁହାଁଇବ । ଯଦି ଏମିତି ହୁଏ, ତେବେ ବାତ୍ୟା ଓଡ଼ିଶା ଉପକୂଳରେ ମାଡ଼ ହେବା ସମ୍ଭାବନା ଅଧିକ ରହିଛି ।
ବାତ୍ୟା ପ୍ରଭାବରେ ଓଡ଼ିଶାରୁ ୩ ତାରିଖରୁ ପାଗ ବଦଳିଯିବ । ବର୍ଷା ସହ ପବନ ଆରମ୍ଭ ହୋଇଯିବ । ୩ ତାରିଖ ମଧ୍ୟରାତ୍ରିରୁ ଓଡ଼ିଶା ଉପକୂଳରେ ୪୫ରୁ ୫୫ କିମି ଓ ମଝିରେ ମଝିରେ ୬୫ କିମି ବେଗରେ ପବନ ବହିବ । ୪ ତାରିଖ ସକାଳୁ ପବନ ବେଗ ବଢ଼ି ୭୦-୮୦ କିମି ଛୁଇଁବ । ମଝିରେ ମଝିରେ ପବନ ଝଟକା ୯୦ କିମି ପର୍ୟ୍ୟନ୍ତ ଯାଇପାରେ ।
Powered by Froala Editor