କରୋନା ଗାଇଡଲାଇନ: ବାହାଘର ଉପରେ କ’ଣ କଟକଣା ଅଛି ଜାଣିରଖନ୍ତୁ
ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଚାଲିଛି ବାହାଘର ଋତୁ । ପ୍ରତିଦିନ ବିବାହ ମଣ୍ଡପରେ ବାହାଘର, ବ୍ରତୋପୟନ ପାଇଁ ଭିଡ଼ ବଢ଼ୁଛି । ବଢ଼ୁଥିବା ସଂକ୍ରମଣର ନୂଆ ଭାରିଆଣ୍ଟ ଚିନ୍ତା ଭିତରେ ସରକାର ଜାରି କରିଛନ୍ତି ଡିସେମ୍ବର ମାସ ପାଇଁ କରୋନା ଗାଇଡଲାଇନ୍ । କରୋନା କଟକଣା ଭିତରେ ସୀମିତ ଲୋକଙ୍କୁ ନେଇ ବିବାହ ଉତ୍ସବ, ବ୍ରତୋପୟନ ଓ ଅନ୍ତ୍ୟେଷ୍ଟିକ୍ରିୟା ଲାଗି ଅନୁମତି ଦିଆଯାଇଛି ।
ବିବାହ, ବ୍ରତ, ଅନ୍ତ୍ୟେଷ୍ଟି ଆଦି କାର୍ୟ୍ୟରେ ସର୍ବାଧିକ ୨୫୦ ଜଣ ସାମିଲ୍ ହୋଇ ପାରିବେ । ଏଥିପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡ଼ିବ । ୨୫୦ ଜଣଙ୍କ ମଧ୍ୟରେ କାର୍ୟ୍ୟକର୍ତ୍ତା, ଅତିଥି, ବ୍ରାହ୍ମଣ, କ୍ୟାଟରିଂ ଆଦି ସମସ୍ତେ ରହିବେ । ସମ୍ପୂର୍ଣ୍ଣ କାର୍ୟ୍ୟକ୍ରମରେ କୋଭିଡ୍ ନିୟାମବଳୀକୁ ପାଳନ କରିବାକୁ ପଡ଼ିବ । ପ୍ରଶାସନର ଅନୁମତି କ୍ରମେ ୫୦ ଜଣଙ୍କୁ ବିବାହ ଶୋଭାଯାତ୍ରା ହୋଇପାରିବ । କୋଭିଡ୍ କଟକଣା ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିବ ।
ଅନ୍ୟପକ୍ଷରେ ପୂର୍ବଭଳି ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ । ସାମାଜିକ, ଧାର୍ମିକ ଓ ରାଜନୈତିକ କାର୍ୟ୍ୟକ୍ରମ ହୋଇପାରିବ ନାହିଁ । ବାଣିଜ୍ୟ ମେଳା, ପ୍ରଦର୍ଶନୀ ମଧ୍ୟ ବନ୍ଦ ରହିବ । ତେବେ ଯାତ୍ରା ଓ ସାଂସ୍କୃତିକ କାର୍ୟ୍ୟକ୍ରମ ସ୍ଥାନୀୟ ପ୍ରଶାସନ ଅନୁମତି କ୍ରମେ ସର୍ବାଧିକ ୨ ହଜାର ଲୋକଙ୍କୁ ନେଇ ହୋଇପାରିବ । କୋଭିଡ୍ କଟକଣା ମଧ୍ୟରେ ୫୦ ପ୍ରତିଶତ ସିଟ୍ କ୍ଷମତାରେ ସିନେମା ହଲ୍ ଚାଲିବ । ବାହାଘର, ବ୍ରତଘର ଓ ଅନ୍ତ୍ୟେଷ୍ଟିକ୍ରିୟାରେ ସର୍ବାଧିକ ୨୫୦ ଜଣ ସାମିଲ୍ ହୋଇପାରିବେ ।
ଜନଗହଳି ଯୋଗୁଁ ସଂକ୍ରମଣ ଆଶଙ୍କା ଥିବାରୁ ଜିରୋ ନାଇଟ୍ ସେଲିବ୍ରେସନ୍, ନୂଆବର୍ଷ ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଡିସେମ୍ବର ୧ ତାରିଖରୁ ଜାନୁଆରୀ ୧ ଯାଏଁ ଏହି ଗାଇଡଲାଇନ୍ ବଳବତ୍ତର ରହିବ ।
ସାଧାରଣତଃ ଲୋକେ ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, ପାର୍କ ଓ ସର୍ବସାଧାରଣ ସ୍ଥାନରେ ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ସେଲିବ୍ରେସନ କରିଥାନ୍ତି । ଏଥିରେ ପ୍ରବଳ ଲୋକ ଏକାଠି ହେଉଥିବାରୁ ସଂକ୍ରମଣ ଭୟ ରହିଛି । ଫଳରେ ରାଜ୍ୟବ୍ୟାପୀ ନୂଆବର୍ଷ ପାଳନ ଉପରେ କଟକଣା ଲାଗୁ କରାଯାଇଛି । ଏପରିକି ନୂଆବର୍ଷରେ ସର୍ବସାଧାରଣ ସ୍ଥଳରେ ଭୋଜିଭାତ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ସମୟରେ ଲୋକଙ୍କୁ ସବୁଜ ବାଣ ଫୁଟାଇବା ପାଇଁ ଅନୁମତି ଦିଆଯାଇଛି ।
Powered by Froala Editor