୧୦୦ ଫୁଟ ପାହାଡ଼ରୁ ଖସିପଡିଲା ବିରାଟକାୟ ହାତି

ଯଶିପୁର : ଶିମିଳିପାଳ କୋର ଏରିଆରେ ୧୦୦ ଫୁଟ ଉଚ୍ଚ ପାହାଡ଼ରୁ ଖସିପଡ଼ି ଏକ ବିରାଟକାୟ ହାତୀର ମୃତୁ୍ୟ ଘଟିଛି । ଘଟଣାଟି ୨ ସପ୍ତାହ ତଳର । ଶନିବାର ଦିନ ହାତୀର ମୃତଦେହ ଠାବ କରାଯିବା ପରେ ଏହା ସାମନାକୁ ଆସିଛି । ରବିବାର ବନ ବିଭାଗର ବରିଷ୍ଠ ପଦାଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ହାତୀର ମୃତଦେହ ବ୍ୟବଚ୍ଛେଦ କରି ପୋତି ଦେଇଛନ୍ତି । ସୂଚନା ଅନୁଯାୟୀ, ୧୫ ଦିନ ତଳେ ଶିମିଳିପାଳ କୋର ଏରିଆରେ ଲଗାଣ ବର୍ଷା ହୋଇଥିଲା । ବର୍ଷାର ପରିମାଣ ଏତେ ଅଧିକ ଥିଲା ଯେ ଶିମିଳିପାଳ ଅଭୟାରଣ୍ୟକୁ ଦୁଇ ଦିନ ପାଇଁ ବନ୍ଦ କରି ଦିଆଯାଇଥିଲା ।
ଘଞ୍ଚ ଅରଣ୍ୟର ମାଟିରାସ୍ତା ସବୁ ଧୋଇ ଯାଇଥିବା ଦର୍ଶାଇ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟକଙ୍କୁ ଶିମିଳିପାଳ ପ୍ରବେଶ ଅନୁମତି ମିଳିନଥିଲା । ଏହି ସମୟରେ ହିଁ ହାତୀଟି ଉଚ୍ଚ ପାହାଡ଼ର ଖସଡ଼ା ରାସ୍ତାରୁ ତଳକୁ ଖସି ପଡ଼ିଥିବା କହିଛି ବନ ବିଭାଗ । ହାତୀଟି ତଳକୁ ଖସିବା ବେଳେ ପଥର ଦେହରେ ବାଡେ଼ଇ ହୋଇ ଆଘାତ ପାଇଥିବା ଓ ଶେଷରେ ତଳେ ଥିବା ଏକ ବିରାଟ ଗଛ ଉପରେ ପଡ଼ି ପ୍ରାଣ ହରାଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ବନ ବିଭାଗ ଅନୁମାନ କରିଛି । ତେବେ ଶିମିଳିପାଳ କୋର ଏରିଆ ବାଘ ଚଳପ୍ରଚଳ ଅଞ୍ଚଳ ହୋଇଥିବାରୁ ଏ ସଂକ୍ରାନ୍ତରେ ବନ ବିଭାଗ ୨ ସପ୍ତାହ ଧରି କିଛି ଜାଣି ପାରିନଥିଲା । ୨ ଦିନ ତଳେ ବ୍ୟାଘ୍ର ଗଣନା ଆରମ୍ଭ ହୋଇଥିବା ବେଳେ ଉତ୍ତର ଶିମିଳିପାଳ ନଅଣା ରେଞ୍ଜ ଅନ୍ତର୍ଗତ ଖଣ୍ଡାଧାର ବିଟର କୋର ଏରିଆକୁ ଯାଇଥିବା ବାଘ ଗଣନା ଟିମ ଓ ପାଟ୍ରୋଲିଂ ଟିମକୁ ଦୁର୍ଗନ୍ଧ ହେବାରୁ ସେମାନେ ପାହାଡ଼ ପାଖକୁ ଯାଇ ହାତୀର ଗଳିତ ମୃତଦେହ ଠାବ କରିଥିଲେ ।
ରବିବାର ସକାଳେ ଆରସିସିଏ‘ଏମ ଯୋଗ ଜୟାନନ୍ଦ, ଏସିଏଫ ପ୍ରଦୀପ କୁମାର ଦେ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପନିଦେ୍ର୍ଧଶକ ସାଇକିରଣ ଡିଏମଙ୍କ ନେତୃତ୍ୱରେ ବନ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା । ହାତୀର ମୃତଦେହ ପାଖରେ ମହାବଳ ବାଘର ପାଦଚିହ୍ନ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି । ଯଶିପୁର ପ୍ରାଣୀ ଚିକିତ୍ସକ କୃଷ୍ଣଚନ୍ଦ୍ର ଟୁଡ଼ୁ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦୁଇ ଜଣ ପ୍ରାଣୀ ଚିକିତ୍ସକ ହାତୀର ଶବ ବ୍ୟବଚ୍ଛେଦ କରିଥିଲେ । ମୃତ ମାଈହାତୀର ବୟସ ପ୍ରାୟ ୪୦ ବର୍ଷ ହେବ ଓ ଏହା ତଳକୁ ଖସିପଡ଼ିବା ଯୋଗୁ ଆଘାତପ୍ରାପ୍ତ ହୋଇ ମୃତୁ୍ୟ ଘଟିଥିବା ସେମାନେ ରିପୋର୍ଟ ଦେଇଛନ୍ତି ।
Powered by Froala Editor