ନାଗପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ବିମାନ
କର୍ଣ୍ଣାଟକର ବାଙ୍ଗାଲୋରରୁ ବିହାରର ପାଟନାକୁ ଯାଉଥିବା ଏକ ବିମାନ ଆଜି ନାଗପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି। ବିମାନଟି ମଝି ଆକାଶରେ ଥିବା ବେଳେ କକପିଟ୍ ଯୋଗେ ଇଞ୍ଜିନରେ ତ୍ରୁଟି ଥିବା ସିଗ୍ନାଲ ମିଳିଥିଲା। ଏହି କାରଣରୁ ପାଇଲଟ ଇଞ୍ଜିନକୁ ବନ୍ଦ କରି ଜରୁରୀ ଅବତରଣ କରାଇଛନ୍ତି। ପାଇଲଟ ବୁଦ୍ଧି ଖଟାଇ ବିମାନକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିବାରେ ସକ୍ଷମ ହୋଇଥିବାରୁ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।
ନାଗପୁର ବିମାନବନ୍ଦରର ଜଣେ ଅଧିକାରୀ କହିଛନ୍ତି ଯେ ବୈଷୟିକ ସମସ୍ୟା ହେତୁ ଗୋ-ଏୟାରର ଏକ ବିମାନ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରିଛି। ବିମାନରେ ୧୩୯ ଜଣ ଯାତ୍ରୀ ଏବଂ କର୍ମଚାରୀ ଥିଲେ। “ଗୋ ଏୟାର ବିମାନର ପାଇଲଟ ନାଗପୁର ଏଟିସି ସହ ଯୋଗାଯୋଗ କରି ବିମାନର ଗୋଟିଏ ଇଞ୍ଜିନରେ ସମସ୍ୟା ଥିବା ସୂଚନା ଦେଇଥିଲେ।
ତେଣୁ ବିମାନର ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ଦେବାକୁ ପାଇଲଟ ଅନୁରୋଧ କରିଥିଲେ। ଏହା ପରେ ବିମାନ ବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ରନୱେରେ ଅଗ୍ନିଶମବାହିନୀ, ଡାକ୍ତର, ଆମ୍ବୁଲାନ୍ସ ସମେତ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ସୌଭାଗ୍ୟବଶତଃ ବିମାନଟି ନିରାପଦରେ ଅବତରଣ କରିଥିଲା । ବିମାନଟିରେ ଥିବା ଲୋକମାନଙ୍କୁ ଆଉ ଗୋଟିଏ ବିମାନରେ ନାଗପୁରରୁ ପାଟନା ନେବାର ବ୍ୟବସ୍ଥା କରାଯାଉଛି।
Powered by Froala Editor