ମଦ ନପିଇବାକୁ ମହାଶପଥ
ବିହାରର ନିଶାମୁକ୍ତି ଦିବସରେ ରାଜ୍ୟର ସମସ୍ତ କର୍ମଚାରୀ, ପୋଲିସ କର୍ମୀ ଓ ବିଭିନ୍ନ ସଂଗଠନ ମଦ ପିଇବେ ନାହିଁ ବୋଲି ଶପଥ ନେଇଛନ୍ତି। ପାଟନାର ଜ୍ଞାନ ଭବନରେ ଆୟୋଜିତ ମଦ ବିରୋଧୀ ମହାଶପଥ କାର୍ଯ୍ୟକ୍ରମରେ ନୀତୀଶ କୁମାର କହିଛନ୍ତି,”ମଦ ବ୍ୟବହାର କେବଳ ଖରାପ ନୁହେଁ ବରଂ ବିପଦଜନକ। ଏହି ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ରାଜ୍ୟରେ ନିକଟରେ ଘଟିଥିବା ବିଷାକ୍ତ ମଦ ମୃତ୍ୟୁ ଘଟଣାକୁ ଲୋକଙ୍କୁ ପାଖରେ ପହଞ୍ଚାଇବାର ଆବଶ୍ୟକ ରହିଛି।”
ମଦ ବିରୋଧରେ ଶପଥ ପାଠ କରି ନୀତୀଶ କୁମାର କହିଛନ୍ତି, “ମୁଁ ନୀତୀଶ କୁମାର, ଆଜି ୨୦୨୧ ନଭେମ୍ବର ୨୬ରେ ଜ୍ଞାନ ଭବନ ପରିସରରେ ଶପଥ ନେଉଛି ଯେ ମୁଁ ସାରା ଜୀବନ ମଦ ପିଇବି ନାହିଁ। ମୁଁ ଡ୍ୟୁଟିରେ ଥାଏ କି ନଥାଏ ମଦକୁ ଛୁଇଁବି ନାହିଁ। ଦୈନନ୍ଦିନ ଜୀବନର ମଧ୍ୟ ମୁଁ ମଦ ସହ ଜଡ଼ିତ କୌଣସି କାର୍ଯ୍ୟକଳାପରେ ସାମିଲ ହେବିନି। ଏହାବାଦ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଶିକ୍ଷାର୍ଥୀ, ବିହାର ବିଧାନସଭା ସଚିବାଳୟର କର୍ମଚାରୀମାନେ ମଦ ପିଇବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି।”
ପୋଲିସ ମୁଖ୍ୟାଳୟରେ ମଧ୍ୟ ପୋଲିସ ଡିଜି ଏସକେ ସିଙ୍ଘଲ ସମସ୍ତ ଅଧିକାରୀଙ୍କୁ ଏହି ଶପଥ ପାଠ କରାଇଛନ୍ତି। ଜୀବନ ଥିବା ଯାଏଁ ମଦ ନଛୁଇଁବାକୁ ଏବଂ ନିଶାମୁକ୍ତି ପାଇଁ ଆପ୍ରାଣ ଉଦ୍ୟମ କରିବାକୁ ଉପସ୍ଥିତ ପୋଲିସ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଡିଜିପି।
୨୦୧୬ରୁ ବିହାରରେ ମଦକୁ ସଂପୂର୍ଣ୍ଣ ଭାବେ ବ୍ୟାନ କରାଯାଇଛି। ତଥାପି ଅନେକ ସମୟରେ ବିଷାକ୍ତ ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି। ତେଣୁ ମଦ ଉପରେ ସଂପୂର୍ଣ୍ଣ ରୋକ ଲଗାଇବାକୁ ଶପଥ ପାଠର ଆୟୋଜନ କରିଛନ୍ତି।
Powered by Froala Editor