ନୌସେନାରେ ପରାକ୍ରମ ଦେଖାଇବ ଆଇଏନଏସ ବିଶାଖାପଟନମ୍
ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନଏସ ବିଶାଖାପଟନମ୍। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଦେଶବାସୀଙ୍କୁ ସମର୍ପିତ କରିଛନ୍ତି । ମୁମ୍ବାଇସ୍ଥିତ ନୌସେନା ‘ଡକ୍ୟାର୍ଡ’ରେ ‘ଆଇଏନ୍ଏସ୍ ବିଶାଖାପଟନମ୍’କୁ ସାମିଲ କରାଯିବା ଅବସରରେ ଜନତାଙ୍କୁ ସମ୍ବୋଧନ କରି ସିଂହ କହିଛନ୍ତି ଯେ, ଭାରତ ନିୟମ ଆଧାରିତ, ଅବାଧ ପୋତ ଚଳାଚଳ ଏବଂ ସାର୍ବଜନୀନ ନିୟମାବଳୀ ଆଧରିତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପରିକଳ୍ପନା କରିଛି। ସେଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଦେଶର ସ୍ବାର୍ଥ ସୁରକ୍ଷିତ ଅଛି। ଆଇଏନଏସ ବିଶାଖାପଟନମ୍ ନୌସେନାରେ ସାମିଲ ହେବା ପରେ ରକ୍ଷା କ୍ଷେତ୍ର ଭାରତ ଏକ ନୂଆ ଇତିହାସ ସୃଷ୍ଟି କରିଛି।
ଚଳିତ ବର୍ଷ ଭାରତ ୭୫ ତମ ସ୍ୱାଧୀନତା ଦିବସ ଓ ୧୯୭୧ ପାଇଁ ଭାରତର ୫୦ତମ ବିଜୟ ଦିବସ ପାଳନ କରୁଛି । ଏହି ଉତ୍ସବ ପାଇଁ ଏହା ଠାରୁ ଆଉ ଭଲ ଦିନ ନଥାଇ ପାରେ ବୋଲି କହିଛନ୍ତି ରାଜନାଥ । ଏହାସହ ଭାରତ ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଏହି ପାରକ୍ରମୀ ବିଧ୍ୱଂସକ ପୋତ ପାଇଁ ସମସ୍ତ ନୌସନା ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।
ସୂଚନା ଯେ, ଆଇଏନ୍ଏସ୍ ବିଶାଖାପଟନମ୍ ଫୋର୍ଥ -ଷ୍ଟିଲ୍ଥ୍ ଗାଇଡେଡ୍-ମିସାଇଲ୍ ଡେଷ୍ଟ୍ରୟର୍ ଜାହାଜରୁ ଗୋଟିଏ। ମାଜଗାଓଁ ଡକ୍ ସିପ୍ ବିଲ୍ଡର୍ସ ଏହି ଯୁଦ୍ଧ ଜାହାଜକୁ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରିଛି । ବାୟୁସେନାର ଆକ୍ରମଣରୁ ବର୍ତ୍ତିବା ପାଇଁ ଏଥିରେ ୩୨ ବାରାକ୍ ମିସାଇଲ୍ ଖଞ୍ଜା ହୋଇଛି । ସମୁଦ୍ରତଟରେ ସମ୍ମୁଖରୁ ଆସୁଥିବା ସମସ୍ତ ଶତ୍ରୁକୁ ଧ୍ବଂସ କରିବାର କ୍ଷମତା ରଖିଛି ଆଇଏନଏସ୍ ବିଶାଖାପଟନମ । ସବୁଠାରୁ ଶକ୍ତିଶାଳୀ ମିଶାଇଲ୍ ବ୍ରହ୍ମସକୁ ଆଇଏନଏସ୍ ବିଶାଖପାଟଣାରୁ ଉତକ୍ଷେପଣ କରାଯାଇ ପାରିବ। ୩୦୦ କିଲୋମିଟରର ଲକ୍ଷ୍ୟଭେଦ କ୍ଷମତା ଥିବା ୧୬ଟି ବ୍ରୋହ୍ମସ ମିସାଇଲ ଏଥିରେ ଲଗାଯାଇ ପାରିବ। ଆକାଶ ପଥରେ ୧୫୦ କିମି ଲକ୍ଷ୍ୟଭେଦ କ୍ଷମତା ରଖିଥିବା ୮ଟି ବାରାକ ମିସାଇଲ୍ ମଧ୍ୟ ଏଥିରେ ଖଞ୍ଜା ଯାଇ ପାରିବ। ଭୂପୃଷ୍ଠରୁ ଆକାଶ, ଆଣ୍ଟି ସବମରାଇନ୍ ରକେଟ୍ , ସଟ୍ ରେଞ୍ଜ ଗନ୍ ମଧ୍ୟ ଆଇଏନଏସ୍ ବିଶାଖାପଟନମରେ ଲାଗି ପାରିବ। ଯୁଦ୍ଧ ସମୟରେ ଶତ୍ରୁର ପରମାଣୁ କିମ୍ବା ରସାୟନିକ ଅସ୍ତ୍ରକୁ ମଧ୍ୟ ଏହା ପ୍ରତିହତ କରି ପାରିବାର କ୍ଷମତା ରହିଛି ଆଇଏନଏସ୍ ବିଶାଖାପାଟଣାରେ।
Powered by Froala Editor