ଗେହଲଟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ : ପଦ ଓ ଗୋପନୀୟତାର ଶପଥ ପାଠ କଲେ ୧୫ ନୂଆ ମନ୍ତ୍ରୀ
ଦେଢ଼ ବର୍ଷ ପରେ କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଗେହଲଟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି। ନୂଆ କରି ଗଠନ ହୋଇଥିବା ଗେହଲଟଙ୍କ ମନ୍ତ୍ରିମଣ୍ଡଳରେ ସଚିନ ପାଇଲଟଙ୍କ ୫ ଜଣ ସହଯୋଗୀ ସ୍ଥାନ ପାଇଛନ୍ତି। ସେହିପରି ଆଜି ୧୫ ଜଣ ନୂଆ ମନ୍ତ୍ରୀଙ୍କୁ ରାଜ୍ୟପାଳ କଲରାଜ ମିଶ୍ର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମହେନ୍ଦ୍ରଜିତ ସିଂ ମାଲବୀୟ, ହେମାରାମ ଚୌଧୁରୀ, ମହେନ୍ଦ୍ର ଯୋଶୀ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପୂର୍ବରୁ ମନ୍ତ୍ରିମଣ୍ଡଳରେ ଥିବା ଗୋବିନ୍ଦ ସିଂହ ଦୋତାସ୍ର, ହରିଶ ଚୌଧୁରୀ ଓ ରଘୁ ଶର୍ମାଙ୍କୁ ଛାଡ଼ି ଦେଲେ ଅନ୍ୟମାନେ ନିଜର ପଦ ବଜାୟୀ ରଖିଛନ୍ତି। ଏବେ ରାଜସ୍ଥାନ ମନ୍ତ୍ରିମଣ୍ଡଳରେ ସଦସ୍ୟଙ୍କ ସଂଖ୍ୟା ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୩୦ରେ ପହଞ୍ଚିଛି।
ଗତବର୍ଷ ସଚିନ ପାଇଲଟଙ୍କ ସହ ମିଶି ବିଦ୍ରୋହ ଘୋଷଣା କରିଥିବା ବିଶଭେନ୍ଦର ସିଂହ ଓ ରମେଶ ମୀନା ଆଜି ଗେହଲଟଙ୍କ କ୍ୟାବିନେଟକୁ ପୁଣି ଫେରିଛନ୍ତି। ପାଇଲଟଙ୍କ ସହ ଏମାନଙ୍କୁ ବିଦ୍ରୋହ ପାଇଁ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଥିଲା।
ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ସଚିନ ପାଇଲଟ ବେଶ ଖୁସି ବ୍ୟକ୍ତ କରିଛନ୍ତି। ୨୦୨୩ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସର ସବୁ ନେତା ଏକାଠି ହୋଇ ଲଢ଼ିବେ ଓ ବିଜେପିକୁ ହରାଇବେ ବୋଲି ସେ କହିଛନ୍ତି।
Powered by Froala Editor